ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଦେବୀ ଦୁର୍ଗାଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠି ମା’ ଦୁର୍ଗା ମନ୍ଦିରରେ ଝୁଲା ବା ଦୋଳିରେ ବସି ପୂଜା ପଆନ୍ତି। ଭକ୍ତମାନେ ମା’ଙ୍କୁ ଦୋଳି ଖେଳାଇଥାନ୍ତି। ଏହି ମନ୍ଦିର ମା’ ଝୁଲାଦେବୀ ମନ୍ଦିର ନାମରେ ସାରାଦେଶରେ ପ୍ରସିଦ୍ଧ। ଦେବଭୂମି ଉତ୍ତରଖଣ୍ଡର ରାଣୀକ୍ଷେତରେ ଏହି ମନ୍ଦିର ରହିଛି। ଏହି ପବିତ୍ର ମାଟିରେ ପାଦ ରଖିବା କ୍ଷଣି ଏକ ଅଦ୍ଭୁତ ଆଧ୍ୟାତ୍ମିକ ଅନୁଭବ ହୋଇଥାଏ। ଏଠାକାର ଶାନ୍ତ ବାତାବରଣ, ଘନ ଜଙ୍ଗଲ, ପାହାଡ଼ ପର୍ବତ ଏହି ଜାଗାର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏହି କାରଣରୁ ରାଣୀକ୍ଷେତକୁ ପାହାଡ଼ର ରାଣୀ ମଧ୍ୟ କୁହାଯାଏ।

ଜାଣିବା ମନ୍ଦିରର ରହସ୍ୟ ବିଷୟରେ…

ଘନ ଜଙ୍ଗଲ ଓ ପାହାଡ଼ ଉପରେ ଥିବା ମାତା ଝୁଲାଦେବୀଙ୍କ ମନ୍ଦିର ହିଁ ରାଣୀକ୍ଷେତର ପ୍ରମୁଖ ବିଶେଷତ୍ୱ। ରାଣୀକ୍ଷେତରୁ ୭ କିଲୋମିଟର ଦୂରରେ ଏହି ମନ୍ଦିର ରହିଛି। ଏହି ମନ୍ଦିର ୭୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ଏହି ମନ୍ଦିରରେ ପାଦ ରଖିବା କ୍ଷଣି ଶାନ୍ତିର ଅନୁଭବ ହେବା ସହିତ ମନ୍ଦିରରେ ବନ୍ଧା ଯାଇଥିବା ହଜାର ହଜାର ଘଣ୍ଟିର ଶବ୍ଦ ଅଲୌଲିକି ଭାବନା ଆଡ଼କୁ ମନକୁ ଟାଣି ନେଇଥାଏ।

ଏହି ମନ୍ଦିରର ରହସ୍ୟ ବିଭିନ୍ନ କହାଣୀ ସହିତ ଯୋଡ଼ି ହୋଇଛି। ମାନ୍ୟତା ରହିଛି ରାଣୀକ୍ଷେତର ଯେଉଁ ସ୍ଥାନରେ ଏହି ମନ୍ଦିର ରହିଛି ସେଠାରେ ଜଙ୍ଗଲି ଜନ୍ତୁଙ୍କ ଆତଙ୍କ ରହିଥିଲା। ଭୟରେ ଲୋକେ ଘରୁ ବାହାରି ପାରୁନଥିଲେ। ଥରେ ମା’ ଦୁର୍ଗା ଗାଁର ଜଣେ ବ୍ୟକ୍ତିଙ୍କ ସ୍ୱପ୍ନରେ ଆସିଲେ ଓ ଜଙ୍ଗଲର ସେହି ସ୍ଥାନରେ ଖୋଲିବାକୁ କହିଲେ। ପରଦିନ ସେହି ବ୍ୟକ୍ତି ଜଣକ ଯେତେବେଳେ ଖୋଳିବାକୁ ଲାଗିଲେ ସେତେବେଳେ ସେହି ସ୍ଥାନରୁ ମା’ଙ୍କର ଏକ ମୂର୍ତ୍ତି ଉଦ୍ଧାର ହେଲା। ଏହାପରେ ଏକ ଝୁଲା ବା ଦୋଳିରେ ମା’ଙ୍କ ମୂର୍ତ୍ତିକୁ ସ୍ଥାପିତ କରାଯାଇଥିଲା। ସେହିଦିନରୁ ମା’ ଝୁଲାଦେବୀ ସ୍ୱରୂପରେ ପୂଜା ପାଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରେ ଯେଉଁ ଭକ୍ତ ପ୍ରାର୍ଥନା କରନ୍ତି ସେମାନଙ୍କ ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ। ମନସ୍କାମନା ପୂରଣ ହେଲେ ଭକ୍ତ ଏହି ମନ୍ଦିରରେ ଘଣ୍ଟି ବାନ୍ଧିଥାଏ। ମନ୍ଦିରରେ ବନ୍ଧା ଯାଇଥିବା ହଜାର ହଜାର ଘଣ୍ଟି ଏହାର ପ୍ରତୀକ।

Comment