ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ସହିତ ଆତଙ୍କବାଦର ସମ୍ପର୍କ ରହିଛି। ଏଥିପାଇଁ ପରୋକ୍ଷରେ ସେ ଆମେରିକାକୁ ଦାୟୀ କରିଛନ୍ତି।

ୠଷର ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି, ‘‘୧୯୮୦ରେ ୠଷ ବିପକ୍ଷରେ ଯୁଦ୍ଧ ପାଇଁ ପାକିସ୍ତାନ ଜିହାଦୀଙ୍କୁ ପ୍ରସ୍ତୁତ କରିଥିଲା। ଆଫଗାନିସ୍ଥାନରେ ୠଷ ବିପକ୍ଷରେ ଯୁଦ୍ଧ ପାଇଁ ସେମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ଆଉ ଏଭଳି ଶୀତଳ ଯୁଦ୍ଧ ପରେ ଆମେରିକା ପାକିସ୍ତାନକୁ ସାହାଯ୍ୟ କରିଥିଲା ଓ ଜିହାଦୀଙ୍କ ଟ୍ରେନ୍ଂରେ ଖର୍ଚ୍ଚ ଯୋଗାଉଥିଲା। ସେଥିରେ ପାକିସ୍ତାନ ୭୦ ହଜାର ଲୋକ . ୧୦୦ ବିଲିଅନ ଡଲାର ହରାଇଥିଲା। ମାତ୍ର ଏହା ବଦଳରେ ପାକିସ୍ତାନକୁ କ’ଣ ମିଳିଥିଲା? ହେଲେ ଏବେ ସେହି ଜିହାଦୀଙ୍କୁ ଆତଙ୍କବାଦୀ ବୋଲି ଆମେରିକା ଘୋଷଣା କରିଛି।’’

ଅନ୍ୟପକ୍ଷରେ କଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟ ଅଣଦେଖା କରିବା ପରେ ଇମ୍ରାନ ସରକାର ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଏବେ ପୁଣିଥରେ ଭାରତ ବିରୋଧରେ କିଛି ଷଡ଼ଯନ୍ତ୍ର କରିବା ବୋଲି ଅନୁମାନ କରାଯାଉଛି।

Comment