ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଦେଶ ପାଇଁ ତାର ପ୍ରକୃତ ବଳ ହେଉଛି ତାର ସେନା। ଦୁନିଆରେ ଆଜି ଯେଉଁଦେଶର ସେନା ଯେତେ ଉନ୍ନତ ସେ ଦେଶ ସେତେ ଶକ୍ତିଶାଳୀ ବୋଲି କୁହାଯାଏ। ଅଧିକାଂଶ ଦେଶରେ ଅନ୍ତଃବିବାଦର ସମାଧାନ ପାଇଁ ପୋଲିସ୍ ଓ ଦେଶର ସୀମା ସୁରକ୍ଷା ପାଇଁ ସେନା ନିଯୁକ୍ତ ହୋଇଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା, ଦୁନିଆରେ ଏବେ ବି କିଛି ଦେଶ ଅଛନ୍ତି ଯାହାର କୌଣସି ସେନା ନିଯୁକ୍ତ ହୋଇନାହାନ୍ତି। ଏହି ସବୁ ଦେଶର ସୁରକ୍ଷା ଅନ୍ୟଦେଶର ସେନା ବୁଝାବୁଝି କରିଥାଏ।

ଭାଟିକାନା ସିଟି

ଭାଟିକାନା ସିଟି ହେଉଛି ପୃଥିବୀର ସବୁଠାରୁ ଯୁଦ୍ରତମ ଦେଶ। ଏହି ଦେଶର ସୁରକ୍ଷା ପାଇଁ ନିଜର କୌଣସି ସେନା ନାହାନ୍ତି। ପୂର୍ବରୁ ସେଠାରେ କେବଳ ପୋପଙ୍କ ସୁରକ୍ଷା ପାଇଁ ନୋବେଲ ଗାର୍ଡ ନିଯୁକ୍ତ ହେଉଥିଲେ। ୧୯୭୦ ମସିହା ପରଠାରୁ ଏହି ନୋବେଲ ଗାର୍ଡମାନଙ୍କର ମଧ୍ୟ ନିଯୁକ୍ତି ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ଏହି ଦେଶର ସୀମା ସୁରକ୍ଷା ଇଟାଲୀର ସେନା ଦ୍ୱାରା କରାଯାଉଛି।

ମୋନାକୋ

ମୋନାକୋ ପୃଥିବୀର ଗୋଟିଏ ଛୋଟ ଦେଶ ଯେଉଁଠାରେ ୧୭ ଶତାବ୍ଦୀରୁ କୌଣସି ପ୍ରକାର ସେନା ନିଯୁକ୍ତ ହୋଇନାହାନ୍ତି। ଏଠାରେ ମାତ୍ର ଦୁଇଟି ଛୋଟ ଛୋଟ ସୁରକ୍ଷା ସଂଗଠନ କାମ କରିଥାଏ। ସେଥିମଧ୍ୟରୁ ଗୋଟିଏ ରାଜକୁମାରଙ୍କ ସୁରକ୍ଷା କରିଥାଏ ଏବଂ ଅନ୍ୟଟି ନାଗରିକମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରିଥାଏ। ଏହି ଦେଶର ସୀମା ସୁରକ୍ଷା ଫ୍ରାନ୍ସ କରିଥାଏ।

ମୋରିସସ୍

ପ୍ରାକୃତିକ ଦୃଷ୍ଟିକୋଣରୁ ମୋରିସସ୍ ବିଶ୍ୱର ଅନେକ ପର୍ଯ୍ୟଟକକୁ ଆକର୍ଷିତ କରିଥାଏ। ଏହି ଦେଶରେ ମଧ୍ୟ ୧୯୬୮ ମସିହା ପରଠାରୁ କୌଣସି ପ୍ରକାର ସେନା ଦେଶର ସୁରକ୍ଷାରେ ନିଯୁକ୍ତ ହୋଇନାହାନ୍ତି। ଏଠାରେ କେବଳ ୧୦ହଜାର ପୋଲିସ୍ କର୍ମୀ ନିଯୁକ୍ତ ହୋଇଥାନ୍ତି ଯେଉଁମାନେ ଦେଶ ଭିତରେ ଓ ସୀମାରେ ସୁରକ୍ଷା କାର୍ଯ୍ୟ ତଦାରଖ କରିଥାନ୍ତି।

ଆଇସଲ୍ୟାଣ୍ଡ

ଯୁରୋପର ଦ୍ୱିତୀୟ ବୃହତମ ଦ୍ୱୀପ ହେଉଛି ଆଇସଲ୍ୟାଣ୍ଡ। ଏହି ଦେଶରେ ୧୮୬୯ ମସିହାରୁ କୌଣସି ସେନା ଦେଶର ସୁରକ୍ଷାରେ ନିଯୁକ୍ତ ହୋଇନାହାନ୍ତି। ଏହି ଦେଶ ନାଟୋର ସଦସ୍ୟ ମଧ୍ୟ ଅଛି। ବର୍ତ୍ତମାନ ଏହି ଦେଶର ସୁରକ୍ଷା ଆମେରିକା ଉପରେ ନ୍ୟସ୍ତ ଅଛି।

କୋଷ୍ଟାରିକା

ମଧ୍ୟ ଆମେରିକାର ଗୋଟିଏ ଦେଶ ହେଉଛି କୋଷ୍ଟାରିକା ଯେଉଁଠି ୧୯୪୮ ମସିହା ପରଠାରୁ କୌଣସି ସେନା ନିଯୁକ୍ତ ହୋଇନାହାନ୍ତି। ଏଠାରେ ୧୯୪୮ ମସିହାରେ ଭୟଙ୍କର ଗୃହଯୁଦ୍ଧ ହୋଇଥିଲା। ଏହାପରଠାରୁ ଏହି ଦେଶ ନିଜର ସେନା ସମାପ୍ତ କରିଦେଲା। ତେବେ ବର୍ତ୍ତମାନ ଦେଶ ମଧ୍ୟରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୋଲିସ୍ ମୁତୟନ ହୋଇଛନ୍ତି।

Comment