ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲେଶ୍ଵରର ଦ୍ଵିତୀୟ ପୁରାତନ ଦୁର୍ଗୋତ୍ସବ
  • ପୂଜାରେ ବାଜିବ ଲୁପ୍ତ ପ୍ରାୟ ପାରମ୍ପରିକ ତାସା ଓ ଭାଙ୍ଗଡା ବାଦ୍ୟ
  • ଚାନ୍ଦିର ତାରକସି ମୁକୁଟ ପିନ୍ଧିବେ ଦେବୀ
  • ମୀନାବଜାର ହେବ ମୁଖ୍ୟ ଆକର୍ଷଣ
  • ମଣ୍ଡପରେ ପୂଜା ପାଆନ୍ତି ଶାଳଗ୍ରାମ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଏକ ଐତିହ୍ୟ ଓ ଇତିହାସ ସମୃଦ୍ଧ ସହର। ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ଲୋକେ ଏଠାରେ ବେଶ୍ ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରି ସହରକୁ ଦେଇଛନ୍ତି ଭାଇଚାରାର ପ୍ରସିଦ୍ଧି। ଦୁର୍ଗା ପୂଜା ନିକଟତର ହେଉଥିବା ବେଳେ ସହରର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ମେଢ଼ ଓ ତୋରଣର ସଜବାଜ। ସହରର ନୂଆ ବଜାରରେ ଆୟୋଜିତ ହୋଇ ଆସୁଥିବା ମା’ ଜଗତଜନନୀ ଦୁର୍ଗାଙ୍କ ଶରତକାଳୀନ ପୂଜାର ରହିଛି ଏକ ବିଶେଷ ଆଦର। ବାଲେଶ୍ଵର ରେଳଷ୍ଟେସନ ପୂଜା ପରେ ନୂଆବଜାରର ଦୁର୍ଗା ପୂଜା ହେଉଛି ସର୍ବପୁରାତନ। ନୂଆବଜାର ବ୍ୟବସାୟୀମାନେ ଗଢ଼ିଥିବା ମହାସଂଘ ପକ୍ଷରୁ ଆୟୋଜିତ ହୁଏ ଏହି ପୂଜା।

ଏହି ପୂଜାରେ ପ୍ରତିବର୍ଷ କିଛି ନୂଆ ରୂପରେ ମଣ୍ଡପକୁ ସୁସଜ୍ଜିତ କରାଯାଇଥାଏ। ଚଳିତ ବର୍ଷ ମା’ଙ୍କର ୮୪ତମ ପୂଜା।

ଅତୀତରେ କାଁଭାଁ କେତୋଟି ଘରୋଇ ଦୁର୍ଗା ପୂଜାକୁ ଛାଡ଼ିଦେଲେ ବାଲେଶ୍ୱର ସହରରେ ସାର୍ବଜନୀନ ଦୁର୍ଗାପୂଜା କେବଳ ରେଳ ଷ୍ଟେସନରେ ହିଁ ହେଉଥିଲା। କିନ୍ତୁ ଦିନେ ତିନି ବଙ୍ଗୀୟ ଯୁବକ ମଧୁସୂଦନ ରାୟ, ଚାରୁଚନ୍ଦ୍ର ରାୟ ଏବଂ ମନମୋହନ ଚାଟାର୍ଜୀ ବାଲେଶ୍ୱରର ନୂଆବଜାରରେ ସାର୍ବଜନୀନ ଦୁର୍ଗାପୂଜା କରିବା ପାଇଁ ନିଷ୍ପତ୍ତି ନେଲେ। ଏହା ଥିଲା ୧୯୩୫ ମସିହାର କଥା। ସେବେଠୁ ଆରମ୍ଭ ହୋଇଛି ସାର୍ବଜନୀନ ଦୁର୍ଗାପୂଜା।

ପୂର୍ବରୁ ପୂଜା ମଣ୍ଡପ ଦକ୍ଷିଣ ମୁଖା ଥିଲା ଏବଂ ପରେ ଏହାକୁ ପୂର୍ବ ମୁଖା କରାଯାଇଥିଲା। ସେତେବେଳେ ଯାତ୍ରାରେ ଲାଇଟ୍ ପାଇଁ ପେଟ୍ରୋମାକ୍ସ ଓ ଲଣ୍ଠନ ବ୍ୟବହୃତ ହେଉଥାଏ। ମାତ୍ର ସ୍ଵଳ୍ପ କେତେ ଶହ ଟଙ୍କାର ବଜେଟରେ ଆରମ୍ଭ ହୋଇଥିବା ପୂଜା ଆଜି ୧୨ ଲକ୍ଷ ଟଙ୍କାରେ ପହଞ୍ଚିପାରିଛି।

ଇତିମଧ୍ୟରେ ୮୪ ବର୍ଷରେ ପଦାର୍ପଣ କରିଛି ନୂଆବଜାର ଦୁର୍ଗାପୂଜା। ଚଳିତବର୍ଷଠାରୁ ତାରକସି ଚାନ୍ଦି ମୁକୁଟରେ ଦେବୀଙ୍କୁ ସଜେଇବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ନୂଆ ବଜାର ବ୍ୟବସାୟୀ ମହାସଂଘ ଦୁର୍ଗାପୂଜାର ପରିଚାଳନା କମଟିର ସଭାପତି ଅଛନ୍ତି ଡାକ୍ତର ଶାନ୍ତନୁ ଦାସ ଏବଂ ସାଧାରଣ ସମ୍ପାଦକର ଦାୟିତ୍ୱ ତୁଲାଉଛନ୍ତି ଶୁଭେନ୍ଦୁ ଦାସ।

ପୂଜା ପାଇଁ ବ୍ୟୟ ସଭ୍ୟଙ୍କ ଚାନ୍ଦା ସହିତ ନୂଆ ବଜାରର ଦୋକାନୀମାନଙ୍କଠାରୁ ଆଦାୟ ଉପରେ ନିର୍ଭର କରେ। ପ୍ରାୟ ୧ ହଜାରରୁ ଅଧିକ ଦୋକାନୀ ଚାନ୍ଦା ଦିଅନ୍ତି। ହିନ୍ଦୁ, ମୁସଲମାନ ଅବା ଖ୍ରୀଷ୍ଟିଆନ, ସମସ୍ତେ ପୂଜା ପାଇଁ ଚାନ୍ଦା ଦିଅନ୍ତି ଏବଂ ପୂଜା ଉତ୍ସବରେ ସାମିଲ ହୁଅନ୍ତି।

ନୂଆବଜାର ପୂଜାର ବିଶେଷତ୍ୱ ହେଉଛି, ଏଠାରେ ମା’ଙ୍କଠାରେ ଯିଏ ଯାହା ବି ମାନସିକ କରେ, ତାହା ପୂରଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ମହାଅଷ୍ଟମୀ ଦିନ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ। ପାଖାପାଖି ୮ଶହରୁ ଅଧିକ ଡଲା ପୂଜା ହେବାକୁ ଆସେ। ବହୁ ଦୂର ଦୂରାନ୍ତରରୁ ଭକ୍ତମାନେ ଏଠାକୁ ପୂଜା କରିବାକୁ ଆସନ୍ତି।

ଏ ପୂଜାର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଏଠିକାର ପୂଜା ମଣ୍ଡପରେ ଆବାହନ କାଳରୁ ମା’ ଦୁର୍ଗାଙ୍କ ସହିତ ଶ୍ରୀ ଶ୍ରୀ ରଘୁନାଥ ଶାଳଗ୍ରାମ ଭାବରେ ପୂଜା ମଣ୍ଡପରେ ପୂଜା ପାଆନ୍ତି। ପୂଜା ମଣ୍ଡପରେ ମା’ଙ୍କୁ ଲକ୍ଷାଧିକ ଟଙ୍କାର ଗହଣାରେ ସୁସଜ୍ଜିତ କରାଯାଏ। ଚଳିତ ବର୍ଷ କମିଟି ପକ୍ଷରୁ ମା’ଙ୍କ ସମେତ ସମସ୍ତ ପାର୍ଶ୍ୱ ଦେବାଦେବୀଙ୍କର ରୂପାର ତାରକସି ମୁକୁଟ ତିଆରି ପାଇଁ ଯୋଜନା ରଖାଯାଇଛି ବୋଲି ସାଧାରଣ ସମ୍ପାଦକ ଶୁଭେନ୍ଦୁ ଦାସ ‘ଓଡିଶାଲାଇଭ୍’କୁ କହିଛନ୍ତି।

ଶ୍ରୀଦାସ ଆହୁରି କହିଲେ, ଏଠିକାର ମୂର୍ତ୍ତି ଆରମ୍ଭରୁ ଏଯାବତ୍‌ ବଙ୍ଗୀୟ ଶୈଳୀରେ ବଙ୍ଗୀୟ ମୂର୍ତ୍ତିଶିଳ୍ପୀଙ୍କ ଦ୍ଵାରା ହିଁ ତିଆରି କରାଯାଏ। ଚଳିତବର୍ଷର ମୂର୍ତ୍ତି ନିରଞ୍ଜନ ଶାହ ତିଆରି କରୁଛନ୍ତି। ଏ ବର୍ଷ ଆକର୍ଷଣୀୟ ତୋରଣ ତିଆରି ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଛି।

ନୂଆ ବଜାର ପୂଜା ମଣ୍ଡପରେ ମନୋରଞ୍ଜନ ପାଇଁ ପ୍ରତିବର୍ଷ ମୀନା ବଜାର ଆସେ। ଯାହା କି ବାଲେଶ୍ଵରର ଅନ୍ୟ କୌଣସି ମଣ୍ଡପରେ ଦେଖାଯାଏ ନାହିଁ। ଏ ବର୍ଷ ମଧ୍ୟ କମିଟି ପକ୍ଷରୁ ମୀନା ବଜାରର ଆୟୋଜନ କରାଯାଉଛି ବୋଲି କମିଟି ସୂତ୍ରରୁ ପ୍ରକାଶ। ନବମୀ ଦିନ ପ୍ରାୟ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଦଶହରା ଦିନ ସିନ୍ଦୂର ଖେଳ ମଧ୍ୟହୁଏ ନୂଆ ବଜାରର ଅଞ୍ଚଳର ଝିଅ ବୋହୂମାନେ ମହା ଆନନ୍ଦରେ ସିନ୍ଦୂର ଖେଳ ଖେଳନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶବ୍ଦ ପ୍ରଦୂଷଣ ପ୍ରତି ସମ୍ମାନ ଜଣେଇ ଚଳିତବର୍ଷ ଡିଜେକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଲୁପ୍ତପ୍ରାୟ ପାରମ୍ପରିକ ବାଦ୍ୟ ପାଇଁ ଉପକ୍ରମ କରାଯାଇଛି। ପଞ୍ଜାବୀ ଭାଙ୍ଗଡା ଓ ତାସା ଭଳି ପାରମ୍ପରିକ ବାଜା ବ୍ୟବସ୍ଥା କରାଯିବ।

ବାଲେଶ୍ଵରର ସମସ୍ତ ପୂଜା କମିଟି ଶବ୍ଦ ପ୍ରଦୂଷଣ ପ୍ରତି ସଚେତନ ହେଲେ ପୂଜା ପରିବେଶ ଭଲ ହେଇ ଉଠିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Comment