ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ପଦବୀ ଅସିଦ୍ଧ ମାମଲାରେ ଏହାକୁ ପୁଣି କାଏମ ରଖିଛନ୍ତି ଓଡିଶା ହାଇକୋର୍ଟ। ପୂର୍ବରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ଜିଲ୍ଲା ଦୌରାଜର୍ଜଙ୍କ ଅଦାଲତରେ ନିର୍ବାଚନରେ ସରକାରୀ ନିୟମ ଭଙ୍ଗ ହୋଇଥିବା ନେଇ ଏକ ମାମଲା ରୁଜୁ କରିଥିଲେ।

ଗତ ୧୨ମାର୍ଚ୍ଚ ୨୦୧୭ ମସିହାରେ ଜିଲ୍ଲାପରିଷଦର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ଏବଂ ବିଜେଡିର ଗଙ୍ଗାଧର ପୁଆଲା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ୨୨ ଜିଲ୍ଲାପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେପି ସପକ୍ଷରେ ୩ଟି ଭୋଟ ପଡ଼ିଥିବାବେଳେ ବିଜେଡିକୁ ମିଳିଥିଲା ୯ଟି ଭୋଟ ଏବଂ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ୧୦ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ  ନିର୍ବାଚିତ ହୋଇଥିଲେ।

ତେବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ସମୟରେ ଅଧିକାର ଭଙ୍ଗ ଓ ସରକାରଙ୍କ ନିର୍ବାଚନ ନିୟମର ଉଲ୍ଲଘଂନ ଦର୍ଶାଇ ରାୟଗଡ଼ା ଜୋନ-୨ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲା ଜିଲ୍ଲା ଦୈାରାଜର୍ଜଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ।

ଗତ ଡିସେମ୍ବର ୧୨ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ଅସିଦ୍ଧ ନେଇ ରାୟଗଡା ଜିଲ୍ଲା ଦୌରାଜର୍ଜଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରି କୋର୍ଟ ତାଙ୍କ ରାୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପଦବୀକୁ କାଏମ ରଖିବା ସହ ଆଗାମୀ ୨୫ ତାରିଖରେ ଉଭୟ ପକ୍ଷଙ୍କୁ ଜିଲ୍ଲା ଜର୍ଜଙ୍କ ଅଦାଲତରେ ହାଜର ହୋଇ ୩ ମାସ ମଧ୍ୟରେ ମାମଲାକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Comment