ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଟି ଚିଟ୍‌ଫଣ୍ଡ ଠକେଇରେ ଗିରଫ ହୋଇଛନ୍ତି। ସିବିଆଇ ଗୁରୁବାର ଭୋର୍‌ରୁ ଆଶୀର୍ବାଦଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏବେ ଜାମିନ ଆବେଦନ ଖାରଜ ହେବା ପରେ ସେ ଜେଲ୍‌ ଯାଇଛନ୍ତି। ତେବେ ଆଶୀର୍ବାଦ କେମିତି ଏଟି ଠକେଇରେ ଫସିଲେ ଜାଣନ୍ତୁ ପୂରା ଘଟଣା ବିଷୟରେ।

ଓପିଏଲ୍‌ରେ ଏଟି ଲିଙ୍କ

୨୦୧୧ ମସିହାରେ ଓସିଏ ଆୟୋଜନ କରିଥିଲା ଓଡ଼ିଶା ପ୍ରିମିୟର ଲିଗ୍(ଓପିଏଲ୍) ପ୍ରଥମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଥିଲା ଅର୍ଥତତ୍ତ୍ୱ (ଏଟି)। ଏ ବାବଦରେ କମ୍ପାନି ତରଫରୁ ୧ କୋଟି ଟଙ୍କା ଦିଆଯାଇଥିଲା। ଏ ସବୁ ଟଙ୍କା ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶରେ ଖର୍ଚ୍ଚ କରାଯାଇଥିଲା।

ପରେ ଏଟି ମାଲିକ ପ୍ରଦୀପ ସେଠୀ ଗିରଫ ହୋଇଥିଲେ। ଏଟି ଟଙ୍କା କୋଉଠି କୋଉଠି ଲାଗିଥିଲା ସିବିଆଇ ଅଧିକାରୀଙ୍କୁ ପ୍ରଦୀପ ଜେରା ବେଳେ କହିଥିଲେ। ଏହି ଖୋଳତାଡ ବେଳେ ହିଁ ଏଟି-ଆଶୀର୍ବାଦ ଲିଙ୍କ ସାମ୍ନାକୁ ଆସିଥିଲା।

ଏନେଇ ପୂର୍ବରୁ ସିବିଆଇ ପକ୍ଷରୁ ଓସିଏରେ ଚଢ଼ାଉ କରାଯିବା ସହ ଆଶୀର୍ବାଦଙ୍କୁ ଜେରା ମଧ୍ୟ କରାଯାଇଥିଲା। ଏଟି ଟଙ୍କା କେଉଁ ବାଟରେ ଖର୍ଚ୍ଚ କରାଯାଇଛି ବୋଲି ସିବିଆଇ ଅଧିକାରୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଶୀର୍ବାଦ। ଏମିତିକି ଖର୍ଚ୍ଚ ବାବଦୟ କାଗଜପତ୍ର ମାଗିବାରୁ ସେ ଦେଇପାରିନଥିଲେ।

ଅନ୍ୟପଟେ ଓଡ଼ିଶା ରଣଜୀ ଟିମ୍ ଅଷ୍ଟ୍ରେଲିଆ ଖେଳିବାକୁ ଯାଇଥିଲେ। ଉକ୍ତ ଟିମ୍‌ର ଯିବା ଆସିବା ଓ ରହିବା ଖାଇବା ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କା ବି ଏଟି ବହନ କରିଥିଲା। ଏହି ଘଟଣାରେ ବି ସିବିଆଇ ଆଶୀର୍ବାଦଙ୍କୁ ବାରମ୍ବାର ଜେରା କରିଥିଲେ। ହେଲେ ସେ ବିଷୟରେ ବି ସିବିଆଇକୁ କିଛି ତଥ୍ୟ ଦେଇପାରି ନଥିଲେ ଆଶୀର୍ବାଦ। ଏ ସବୁ ଘଟଣାକୁ ନେଇ ସିବିଆଇ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା। ଭାରତୀୟ ପିଙ୍ଗଳ କୋଡ୍ ଦଫା-୧୨୦(ବି), ୪୦୬, ୪୦୯, ୪୧୧, ୪୨୦, ୪୬୮, ୪୭୧ ଏବଂ ମନି ସର୍କୁଲେସନ୍(ବ୍ୟାନିଂ) ଆକ୍ଟର ଧାରା-୪, ୫, ୬ ଅନୁଯାୟୀ ମାମଲା ରୁଜୁ ମଧ୍ୟ କରିଥିଲା ସିବିଆଇ। ଏହି ଆଧାରରେ ତାଙ୍କୁ ଆଜି ଗିରଫ କରାଯାଇଛି।

Comment