ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାନ୍ସ ବାର୍‌ ଖୋଲିବା ପାଇଁ ନୂଆ ସର୍ତ୍ତ।

ରାଜଧାନୀ ଭୁବନେଶ୍ୱରରେ ପୁଣି ଖୋଲିବ ଡାନ୍ସ ବାର୍‌। ରିମ୍‌ ଝିମ୍‌ ଆଲୁଅରେ ଡିଜେର ତାଳେ ତାଳେ ନାଚିବେ ବାର୍ ଗର୍ଲ। ଏହାର ମଜା ଉଠାଇବେ ଗ୍ରାହକ। ହେଲେ ଏହି ଡାନ୍ସ ବାର୍‌ଗୁଡ଼ିକ ଉପରେ ଅବକାରୀ କମିସନର କିଛି କଟକଣା ଲଗାଇ ଦେଇଛନ୍ତି।

ଅବକାରୀ ଆଇନ ୪୪(୫)ର ଗାଇଡ୍‌ ଲାଇନ୍ ଅନୁଯାୟୀ କିଛି ସର୍ତ୍ତାବଳୀ ଲାଗୁ କରାଯାଇଛି। ଆଗରୁ ବାର୍‌ରେ ଡାନ୍ସରଙ୍କ ଆଗରେ ଗ୍ରାହକମାନେ ସିଧାଳସଳଖ ଟଙ୍କା ଉଡ଼ାଉଥିଲେ। ସେମାନଙ୍କୁ ଇମ୍ପ୍ରେସ୍‌ କରିବାକୁ କିଛି ଗ୍ରାହକ ଟଙ୍କା ଉପହାର ବି ଦେଉଥିଲେ। ହେଲେ ଏହି ନୂଆ ସର୍ତ୍ତାବଳୀରେ ସେସବୁ ଉପରେ କଟକଣା ଜାରି କରାଯାଇଛି। ଏଣିକି ବାର୍‌ ଡାନ୍ସରଙ୍କ ଆଗରେ ଗ୍ରାହକ ସିଧାସଳଖ ଟଙ୍କା ଉଡ଼ାଇ ପାରିବେ ନାହିଁ।

ଯଦି କେହି ଟଙ୍କା ଦେବାକୁ ଚାହୁଁଥିବେ ତାହାଲେ ସେ ବାର୍‌ ମ୍ୟାନେଜରଙ୍କୁ ଜଣାଇବେ।

ସସିଟିଭି ବାଧ୍ୟତାମୂଳକ

ପ୍ରତି ଡାନ୍ସ ବାର୍‌ରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କହିଛନ୍ତି ଅବକାରୀ କମିସନର। ଡାନ୍ସ ବାର୍‌ରେ ଯାହା ସବୁ ହେଉଛି ତାହା ସିସିଟିଭିରେ ରେକର୍ଡ କରାଯିବ। ପୋଲିସ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଯେତେବେଳେ ଚାହିଁବେ ସିସିଟିଭି ଯାଞ୍ଚ କରିପାରିବେ। ଏହାସହ ସିସିଟିଭିର ହାଡ୍‌ଡିସ୍କକୁ ଅଧିକ କ୍ଷମତା ବିଶିଷ୍ଟ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଯେମିତି ୩ ମାସ ପର୍ଯ୍ୟନ୍ତ ଡାଟା ଏଥିରେ ରହି ପାରିବ।

କେବଳ ସେତିକି ନୁହେଁ, ଡାନ୍ସରମାନଙ୍କ ଡ୍ୟାନ୍ସ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ଅବକାରୀ କମିସନର। ବାର୍‌ରେ ୧୨୦ ଫୁଟ୍‌ ଜାଗାରେ ହିଁ ଡାନ୍ସରମାନେ ଡାନ୍ସ କରିପାରିବେ। ଏକାଥରକେ ୮ରୁ ଅଧିକ ଡାନ୍ସର ଡାନ୍ସ କରିବାକୁ ନାଁ କହିଛନ୍ତି ଅବକାରୀ ବିଭାଗ।

ଷ୍ଟେଜ୍‌ଠାରୁ ୫ ଫୁଟ ଦୂରରେ ବସିବେ ଗ୍ରାହକ

ଡାନ୍ସ ବାର୍‌ରେ ଡାନ୍ସରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଯେଉଁ ଷ୍ଟେଜ୍‌ରେ ଡାନ୍ସରମାନେ ନାଚିବେ ସେହି ଷ୍ଟେଜ୍‌କୁ ୩ଜ ଫୁଟ ଉଚ୍ଚର ଲୁହା ଗ୍ରୀଲରେ ସୁରକ୍ଷା ଦିଆଯିବ। ଏହାସହ ଷ୍ଟେଜ୍‌ ପାଖାପାଖି ଗ୍ରାହକମାନେ ବସିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଷ୍ଟେଜଠାରୁ ୫ ଫୁଟ ଦୂରରେ ଗ୍ରାହକମାନଙ୍କ ପାଇଁ ଚେୟାର ପଡ଼ିବ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ କରାଯାଇଛି।

ଡାନ୍ସ ବାର୍‌ରେ ନିୟୋଜିତ ହେଉଥିବା ଗର୍ଲମାନଙ୍କ ପରିଚୟପତ୍ର ବାର୍ ମାଲିକମାନେ ରଖିବାକୁ ସର୍ତ୍ତାବଳୀରେ କୁହାଯାଇଛି। ଭୋଟ ପରିଚୟପତ୍ର, ଆଧାରକାର୍ଡ ସମେତ ଡାନ୍ସରମାନଙ୍କ ଆଟେଷ୍ଟେଡ୍‌ ଫଟୋ ମଧ୍ୟ ବାର୍‌ ମାଲିକମାନେ ରଖିବାକୁ କୁହାଯାଇଛି।

ଧୂମପାନକୁ ନା

ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷେଦ୍ଧ ଭଳି ଡାନ୍ସବାର୍‌ରେ ବି ଧୂମପାନକୁ ନାଁ କହିଛନ୍ତି ଅବକାରୀ କମିସନର। ଡାନ୍ସ ବାର୍‌ ଭିତରେ କୌଣସି ଗ୍ରାହକ ସିଗାରେଟ୍‌ କିମ୍ବା ଅନ୍ୟ କୌଣସି ଧୂମପାନ ସମଗ୍ରୀ ବ୍ୟବହାର କରିପାରିବେନି ବୋଲି ସ୍ପଷ୍ଟ ଭାବେ ସର୍ତ୍ତାବଳୀରେ ଉଲ୍ଲେଖ କରାଯାଇଛି।

Comment