ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି ଆଡମିଶନ ପାଇଁ ୟୁଜିସି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷ ପ୍ରବେଶିକା ପରୀକ୍ଷାରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ୪୦ ପ୍ରତିଶତ ମାର୍କ ରଖିଥିଲେ ପିଏଚଡି ଆଡମିଶନ କରିପାରିବେ। ସେହିପରି ଏସସି/ଏସଟି ଛାତ୍ରଛାତ୍ରୀମାନେ ୩୫ ପ୍ରତିଶତ ମାର୍କ ରଖିଥିଲେ ସେମାନେ ପିଏଚଡି ପାଇଁ ଯୋଗ୍ୟତା ହାସଲ କରିପାରିବେ। ମଙ୍ଗଳବାର ଏନେଇ ପିଜି କାଉନସିଲ୍ ବୈଠକରେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ଘୋଷଣା କରିଛନ୍ତି।

ବିଶ୍ୱବିଦ୍ୟାଳୟର ୧୫ଟି ବିଭାଗର ପିଏଚଡି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ପୂର୍ବ ସ୍ଥିରୀକୃତ ହୋଇଥିବା ମାର୍କ ରଖି ନପାରିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ଗତ ୧୪ ତାରିଖରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟର ପିଏଚଡି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏହି ପ୍ରବେଶିକା ପରୀକ୍ଷାରେ ସାଧାରଣ ବର୍ଗର ପିଲାଙ୍କ ପାଇଁ ୫୦ ପ୍ରତିଶତ ମାର୍କ ଓ ଏସସି/ଏସଟି ଛାତ୍ରଛାତ୍ରୀମାନଙ୍କ ପାଇଁ ୪୫ ପ୍ରତିଶତ ମାର୍କ ରଖିଲେ ଛାତ୍ରଛାତ୍ରୀମାନେ ପିଏଚଡି ପାଇଁ ଯୋଗ୍ୟତା ହାସଲ କରିପାରିବେ ବୋଲି ଧାର୍ଯ୍ୟ କରାଯାଇଥିଲା।

ତେବେ ଏହି ମାର୍କ ଆଧାରରେ ପ୍ରାୟ ୯୦ ପ୍ରତିଶତ ଛାତ୍ରଛାତ୍ରୀମାନେ ଯୋଗ୍ୟତା ହାସଲ କରିପାରିନଥିଲେ। ଯାହାକୁ ନେଇ ସବୁଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନୂଆ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ଏହି ନୂଆ ନିଷ୍ପତ୍ତି ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯିବ ଏବଂ ମନୋନୀତ ଛାତ୍ରଛାତ୍ରୀଙ୍କର ମୌଖିକ ପରୀକ୍ଷା ଆସନ୍ତା ଅକ୍ଟୋବର ୧ ରୁ ୩ତାରିଖ ମଧ୍ୟରେ କରାଯିବ। ଆସନ୍ତା ୪ତାରିଖ ସୁଦ୍ଧା ମୌଖିକ ପରୀକ୍ଷା ଶେଷ କରାଯାଇ ଆଗାମୀ ଦଶହରା ଛୁଟି ପରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଆରମ୍ଭ କରିବା ନେଇ ସୂଚନା ଦିଆଯାଇଛି।

Comment