ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୩ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ। ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଏଥିସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ।
ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍ ଯୋଗଦେଇ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ଏହି ଅବସରରେ ବିଭିନ୍ନ ବିଭାଗର ଟପ୍ପରଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବା ସହ ୨୦୨୦-୨୧ର ସ୍ମାରକୀ ପଦକ ମଧ୍ୟ ପ୍ରଦାନ କରାଯିବ। ବିଶ୍ୱ ବିଦ୍ୟାଳୟର କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା ଦାୟିତ୍ୱରେ ରହିବେ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ତରଫରୁ ସୂଚନା ମିଳିଛି।