ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗର (ଆଇଏମଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ଵ ପାଣିପାଗ ସଂଗଠନର (ଡବ୍ଲୁଏମଓ) ତୃତୀୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଗୁରୁବାର ସୁଇଜରଲାଣ୍ଡର ଜେନିଭା ସ୍ଥିତ ଡବ୍ଲୁଏମଓର ମୁଖ୍ୟାଳୟରେ ସଂଗଠନର ବିଭିନ୍ନ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଏହି ପଦ ମିଳିଛି। ଏନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ହୋଇଥିବା ଭୋଟିଂରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୧୪୮ରୁ ୧୧୩ଟି ଭୋଟ ମିଳିଥିଲା। ସେ ଏହି ଉପାଧ୍ୟକ୍ଷ ପଦରେ ୨୦୨୩ରୁ ୨୦୨୭ ମସିହା ଯାଏଁ ରହିବେ। ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ତାଙ୍କୁ ଡବ୍ଲୁଏମଓ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅନ୍ୟପଟେ ଗୁରୁବାର ଡବ୍ଲୁଏମଓର ନିର୍ବାଚନରେ ସଂଗଠନର ଅଧ୍ୟକ୍ଷ ଭାବେ ୟୁଏଇର ଅବଦୁଲ୍ଲା ଅଲ ମାଣ୍ଡୋସ ନିର୍ବାଚିତ ହୋଇଛନ୍ତି। ସେ ଏବେ ୟୁଏଇର ନାସନାଲ୍ ସେଣ୍ଟର ଫର ମେଟେରୋଲୋଜିର ନିର୍ଦେଶକ ଭାବେ କାମ କରୁଛନ୍ତି। ସେହିଭଳି ଆର୍ଜେଣ୍ଟିନାର ପ୍ରଫେସର ସେଲେଷ୍ଟ ସାଉଲୋ ଡବ୍ଲ୍ୟୁଏମଓର ପ୍ରଥମ ମହିଳା ମହାସଚିବ ନିଯୁକ୍ତ ହୋଇଛନ୍ତି।

ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବ୍ୟତୀତ ଆଉ ୨ ଜଣ ଡବ୍ଲୁଏମଓର ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ଆଇଭରି କୋଷ୍ଟ ପାଣିପାଗ ବିଭାଗର ନିର୍ଦେଶକ ଡୌଡା କୋନାଟେ ଓ ଆୟର୍ଲାଣ୍ଡ ପାଣିପାଗ ସେବାର ନିର୍ଦେଶକ ଇଓନ ମୋରାନ।

ଓଡ଼ିଶାର ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ ମସିହାରୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ସେ ୧୯୯୨ ମସିହାରୁ ଭାରତୀୟ ପାଣିପାଗ ବିଭାଗରେ କାର୍ଯ୍ୟ କରୁଛନ୍ତି। ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଭାରତରେ ପୂର୍ବ ଓ ପଶ୍ଚିମ ଉପକୂଳରେ ଆସୁଥିବା ବାତ୍ୟାର ସଠିକ୍ ଆକଳନ କରି ସେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି।

Tags: #MrutyunjayMohapatra #IMDDG #VicePresident #WorldMeteorologicalOrganization

Comment