ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବିଶ୍ୱବାସୀ ଚାହିଁ ବସିଛନ୍ତି। ବର୍ତ୍ତମାନ ଯାହା ଚିତ୍ର ରହିଛି ସେଥିରୁ ଅନୁମାନ କରାଯାଉଛି ଯେ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହୋଇପାରନ୍ତି। ଯଦି ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ ରାଷ୍ଟ୍ରପତି ହୁଅନ୍ତି ତେବେ ପ୍ରଥମ ଥର ପାଇଁ ଆମେରିକାର ଉପରାଷ୍ଟ୍ରପତି ଭାବେ ଗୌରବ ଅର୍ଜନ କରିବେ ଭାରତୀୟ ବଂଶଜ କମଳା ହ୍ୟାରିସ।

କମଳା ହ୍ୟାରିସ କିଏ?

ଅକ୍ଟୋବର ୨୦, ୧୯୬୪ରେ କାଲିଫର୍ଣ୍ଣିଆର ଓକଲାଣ୍ଡରେ ଜନ୍ମ  ହୋଇଥିଲେ କମଳା ଦେବୀ ହ୍ୟାରିସ। କମଳାଙ୍କ ମାଆ ଶ୍ୟାମଳା ଗୋପାଳନ, ସେ ଜଣେ କ୍ୟାନସର ବିଶେଷଜ୍ଞ। ତାମିଲନାଡୁର ମୂଳ ବାସିନ୍ଦା ଶ୍ୟାମଳା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଏଣ୍ଡକ୍ରିନୋଲୋଜିରେ ଡକ୍ଟରେଟ୍ କରିବା ପାଇଁ ୧୯୬୦ରେ ଆସିଥିଲେ। କମଳାଙ୍କ  ବାପା ଡୋନାଲ୍ଡ ଜେ ହ୍ୟାରିସ ଜାମାଇକା ବାସିନ୍ଦା।

ତେବେ କମଳାଙ୍କୁ ୭ ବର୍ଷ ହୋଇଥିବା ବେଳେ ବାପା ମା’ଙ୍କର ବିବାହ ବିଚ୍ଛେଦ ହୋଇଥିଲା।  କମଳା ହାଇସ୍କୁଲ ପଢ଼ା ସାରିବା ପରେ ହାୱାର୍ଡ ୟୁନିଭର୍ସିଟିରେ ପଢିବାକୁ ଯାଇଥିଲେ। ପଲିଟିକାଲ ସାଇନ୍ସ ଓ ଇକୋନମିକ୍ସରେ ବାଚେଲର ଡିଗ୍ରି ପରେ ସେ ୟୁନିଭର୍ସିଟି ଅଫ୍ କାର୍ଲିଫର୍ଣ୍ଣଆରୁ ଲ’ରେ ଡିଗ୍ରି ହାସଲ କରିଥିଲେ। ଏହା ପରେ ଓକିଲାତି ଆରମ୍ଭ କରିଥିଲେ।

କମଳାଙ୍କ ରାଜନୈତିକ ଯାତ୍ରା

୧୯୯୦ରେ କମଳା ଦେବୀ ହ୍ୟାରିସ କାର୍ଲିଫିନିଆରେ ଡେପୁଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ କାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୪ରେ ସେ କାର୍ଲିଫର୍ଣ୍ଣିଆ ମେଡିକାଲ ଆସିଷ୍ଟାନ୍ସ କମିସନକୁ ମନୋନୀତ ହୋଇଥିଲେ। ଫେବ୍ରୁଆରି ୧୯୯୮ରେ ସାନଫ୍ରାନସିସ୍କୋର ଆସିଷ୍ଟାଣ୍ଟ ଆଟର୍ଣ୍ଣି ଭାବେ ନିଯୁକ୍ତି ପାଇଥିଲେ। ୨୦୦୪ରୁ ୨୦୧୧ ଯାଏଁ ସେ ସାନଫ୍ରାନସିସ୍କୋର ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ କାମ କରିଥିଲେ।

୨୦୧୬ରେ କାର୍ଲିଫର୍ଣ୍ଣଆରୁ ଡେମୋକ୍ରାଟ ସିନେଟର ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଥିଲେ। ପ୍ରଥମେ ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିଲେ, ହେଲେ ଆଶାନୁରୂପ ସମର୍ଥନ ନ ମିଳିବାରୁ, ସେ ଏ ଦୌଡ଼ରୁ  ବାହାରିଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ୮ଜଣ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କମଳା ସର୍ବାଧିକ ସମର୍ଥନ ପାଇ ବି଼ଡେନଙ୍କୁ ପ୍ରଭାବିତ କରିପାରିଥିଲେ।

କମଳା ହ୍ୟାରିସ ତାଙ୍କ ଜୀବନରେ ଅନେକଥର ସାମାଜିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଲୋକଙ୍କ ସାମାଜିକ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିଛନ୍ତି। ସେଥିପାଇଁ ଜୋ ବାଇଡେନ ତାଙ୍କ ନାଁ ଘୋଷଣା କରିବା ସମୟରେ ପ୍ରଶଂସାରେ ପୋତି ପକାଇଥିଲେ।

Comment