ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ଏକ ଫଟୋ ଘୂରି ବୁଲୁଥିଲା। ଏହି ଫଟୋରେ ରାଜା ପୋଷାକ ଗେଟ୍ଅପ୍‌ରେ ଥିବା ଜଣେ ଯୁବକଙ୍କୁ ପୁରୀ ଗଜପତି ମହାରାଜାଙ୍କ ଉତ୍ତରାଧିକାରୀ ଭାବେ ଚିତ୍ରଣ କରାଯାଇଥିଲା। ଏହି ଫଟୋରେ ଯୁବକଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ରାଣୀ ରହିଥିବାରୁ କିଛି ଲୋକ ମଧ୍ୟ ଏହି ଫଟୋକୁ ସତ ମାନି ନେଇଥିଲେ। କିନ୍ତୁ ପୁରୀ ଶ୍ରୀନଅର ପକ୍ଷରୁ ଆଜି ଏହି ଫଟୋ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି। ଗଜପତି ମହାରାଜାଙ୍କ ଉତ୍ତରାଧିକାରୀ ଏବେଯାଏଁ ଚୂଡ଼ାନ୍ତ ହୋଇ ନଥିବା ସ୍ପଷ୍ଟ କରାଯାଇଛି।

ଶ୍ରୀନଅର ପକ୍ଷରୁ ଆହୁରି କୁହାଯାଇଛି ଯେ ଗଜପତି ମହାରାଜା ଏବଂ ରାଣୀଙ୍କ ପାଖରେ ଯେଉଁ ଯୁବକ ଅଛନ୍ତି ସେ ହେଉଛନ୍ତି ନୀଳଗିରି ଯୁବରାଜ। ତାଙ୍କ ନାଁ ହେଉଛି ଟିକାୟତ ଜନ୍ମେଜୟ ମର୍ଦ୍ଦରାଜ।ଏହି ଫଟୋଟି ହେଉଛି ୨୦୧୬ ମସିହାର। ନୀଳଗିରି ଯୁବରାଜଙ୍କ ନିର୍ବନ୍ଧ ସମୟରେ ହିଁ ଏହି ଫଟୋ ଉଠା ଯାଇଥିଲା।

ନୀଳଗିରି ଯୁବରାଜଙ୍କ ନିର୍ବନ୍ଧରେ ପୁରୀ ଗଜପତି ମହାରାଜା ଏବଂ ରାଣୀ, ଢେଙ୍କାନାଳ ରାଜା କାମାକ୍ଷାପ୍ରସାଦ ସିଂହଦେଓ ଏବଂ ରାଣୀ, ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ଓ ରାଣୀ ଯୋଗ ଦେଇଥିଲେ। ସମସ୍ତେ ଏକାଠି ହୋଇ ଯୁବରାଜଙ୍କୁ ମଝିରେ ଛିଡ଼ା କରି ଫଟୋ ଉଠାଇଥିଲେ।

ଏହି ଫଟୋରୁ ଢେଙ୍କାନାଳ ରାଜାଙ୍କ ଫଟୋକୁ କେହି ଡିଲିଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଶ୍ରୀନଅର ପକ୍ଷରୁ କୁହାଯାଇଛି। ସୋସିଆଲ ମିଡିଆର ଗୁଜବ ଖବରରୁ କ୍ଷାନ୍ତ ରହିବାକୁ ଶ୍ରୀନଅର ପକ୍ଷରୁ କୁହାଯାଇଛି।

Comment