ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର ବୈଦିକ ରୀତିନୀରେ ଶେଷ ହୋଇଛି। ମହାରାଜା ଦିବ୍ୟ ସିଂହଦେବଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବିବାହ କରିଛନ୍ତି ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କୁ। କୋଭିଡ କଟକଣା ମଧ୍ୟରେ ଭୁବନେଶ୍ଵରସ୍ଥିତ ହୋଟେଲ ମେ’ ଫେୟାରରେ ସମସ୍ତ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବୁଧବାର ରାତି ୧୧ଟାରୁ ବିବାହ ଆରମ୍ଭ ପ୍ରାୟ ୩ଟା ପର୍ଯ୍ୟନ୍ତ ଚାଲିଥିଲା।

ରାଜକୀୟ ଢଙ୍ଗରେ ବାଜା ଓ ରୋଷଣୀରେ ମହାରାଜା ରାଜୀବ କେହେରଙ୍କ ପୁଅ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେର ରୋଷଣୀରେ ବରବେଶ ହୋଇ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲେ। ରାଜାଘର ରୋଷଣୀରେ କମ୍ପିଥିଲା ରାଜଧାନୀ। ପାରମ୍ପରିକ ବାଦ୍ୟ, ଶଙ୍ଖ ହୁଳହୁଳି ଧ୍ଵନିରେ ଆସିଥିଲେ ବରଯାତ୍ରୀ। ଏହା ସହ ଗୋଟିପୁଅ ସହ ଗଜଲ ପରିବେଷଣ କରାଯାଇଥିଲା। ରାଜକୀୟ ଢଙ୍ଗରେ ସବୁ ରୀତିନୀତି ଅନୁଯାୟୀ ବରଣୀ କରି ବରକୁ ନିଆଯାଇଥିଲା।

ରାଜ ପରିବାରର ବିବାହ ବହୁ ଆଡ଼ମ୍ବରରେ ହେଉଥିଲେ ମଧ୍ୟ କୋଭିଡ ଯୋଗୁଁ ନିରାଡ଼ମ୍ବରରେ ରାଜକୁମାରୀ ଦେବେଶୀ ଦେବୀଙ୍କ ବିବାହ ଅନୁଷ୍ଠିତ ହୋଇଛି। ବିବାହ ଭୋଜି ପାଇଁ ଉଭୟ ମେ’ ଫେୟାର ଏବଂ ପୁରୀ ଶ୍ରୀନଅରରେ ବ୍ୟବସ୍ଥା ହୋଇଥିଲା। ପ୍ରାୟ ୫୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଶ୍ରୀନଅରରେ ଭୋଜନ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଜିଲ୍ଲା ପ୍ରଶାସିକ ଅଧିକାରୀ ଏବଂ ବରିଷ୍ଠ ସେବାୟତଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମହାରାଜା ଦିବ୍ୟସିଂହ ଦେବଙ୍କ ପରିବାରର ଏହା ଶେଷ ପାରବାରିକ ଉତ୍ସବ ଥିବାରୁ ବିବାହରେ ଦେଶ ବିଦେଶରୁ ବହୁ ରାଜପରିବାର ସଦସ୍ୟ ଯୋଗ ଦେଇଥିଲେ।

Comment