ଓଡ଼ିଶାଲାଇଭ୍ ବ୍ୟୁରୋ
- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
- ଶ୍ରୀମନ୍ଦିର ବାହାର ପର୍ବ ପର୍ବାଣୀକୁ ନେଇ ଆଲୋଚନା
- ଅକ୍ଷୟ ତୃତୀୟାରେ ହେବନି ରଥ ନିର୍ମାଣ
- ମେ’ ୩ ଯାଏଁ ଶ୍ରୀମନ୍ଦିର ବାହାରେ କୌଣସି ନୀତି ସମ୍ପନ୍ନ ହେବନି
- ପରାମର୍ଶ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ମହାରାଜା
ଚଳିତବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଚିନ୍ତା ବଢ଼ିଛି। ଏଥର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହୋଇପାରିବ ନାହିଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ ରଥଯାତ୍ରା ଆୟୋଜନ ମଧ୍ୟ ଅନିଶ୍ଚିତତାରେ ରହିଛି।
ଆଉ ଦୁଇ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ଏହି ତିଥିରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ରଥକାଠ ଅନୁକୂଳ ହୋଇଥାଏ। ରଥ ନିର୍ମାଣ ଏହି ତିଥିରୁ ହିଁ ଆରମ୍ଭ ହୋଇଥାଏ। ହେଲେ ଚଳିତବର୍ଷ କରୋନା ସଙ୍କଟ ଯୋଗୁଁ ଶ୍ରୀମନ୍ଦବିର ସମେତ ସମସ୍ତ ଧାର୍ମିକ ପୀଠ ବନ୍ଦ ରହିଛି। ତେବେ ଲକ୍ଡାଉନ୍ ବେଳେ ଅକ୍ଷୟ ତୃତୀୟା ନୀତି ପୁରୀରେ କେମିତି ପାଳନ ହେବ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା।
ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଆଇନମନ୍ତ୍ରୀ ପ୍ରତାପ ଜେନା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସମେତ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ। ଲକ୍ଡାଉନ୍ ନିୟମ ବେଳେ ରଥକାଠ ଅନୁକୂଳ କେମିତି ହେବ ସେନେଇ ଆଲୋଚନା ହେବା ପରେ ଗଜପତି ମହାରାଜା ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଥିଲେ।
‘‘କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯେଉଁ ଗାଇଡ୍ଲାଇନ୍ ଜାରି କରିଛନ୍ତି ତାହାକୁ ସମସ୍ତେ ମାନିବା ଉଚିତ। ଲକଡାଉନ ନିୟମ ଅନୁସାରେ ମନ୍ଦିର ବାହାରେ କୌଣସି ପର୍ବ ପର୍ବାଣୀ ହୋଇପାରିବ ନାହିଁ। ଏଣୁ ଏହି ନିୟମକୁ ଗ୍ରହଣ କରି ଅକ୍ଷୟ ତୃତୀୟ ନୀତିରେ ଏଥର ରଥକାଠ ଅନୁକୂଳ ହୋଇପାରିବ ନାହିଁ। ମେ’ ୩ ଯାଏଁ ଶ୍ରୀମନ୍ଦିର ବାହାରେ କୌଣସି ପର୍ବ ପର୍ବାଣୀ ଆୟୋଜନ କରିବା ଠିକ୍ ନୁହେଁ’’, କହିଛନ୍ତି ଗଜପତି ମହାରାଜା।
ଆଜି ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ନିଶ୍ଚଳନନ୍ଦ ସରସ୍ୱତୀଙ୍କୁ ଭେଟିବେ ଗଜପତି ମହାରାଜା। ଶ୍ରୀମନ୍ଦିର ବାହାରେ ଚାଲୁଥିବା ବିଭିନ୍ନ ପର୍ବ ପର୍ବାଣୀ କେମିତି ସମ୍ପନ୍ନ ହେବ ସେନେଇ ପରାମର୍ଶ ଲୋଡ଼ିବେ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ନୀତି ନିୟମ ପାଳନ କରାଯିବ।
‘‘ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ଆହୁରି ସମୟ ଅଛି। ମେ’ ୩ ପରେ ଆଉ କ’ଣ ନୂଆ ଗାଇଡ୍ଲାଇନ୍ ଆସୁଛି ତାକୁ ଅପେକ୍ଷା କରିବା। ନୂଆ ଗାଇଡ୍ଲାଇନ୍ ଆସିବା ପରେ ପୁଣିଥରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ’’, କହିଛନ୍ତି ଗଜପତି ମହାରାଜା।