ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ସଦରଥାନା ଗରାପୁର ନିକଟରେ ଆଜି ଭୋର ସକାଳୁ ଅପରାଧୀ ଓ ପୋଲିସ ଗୁଳି ବିନିମୟରେ ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ। ଏହି ଅପରାଧୀ ଜଣକ ହେଉଛି ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଗାଁର ହୃଷିକେଶ ମଳିକ। ଗୁରୁତର ବଅସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ାରେ ଭର୍ତ୍ତି କରିଛି ପୋଲିସ।

କେନ୍ଦ୍ରାପଡ଼ା ଆଳି ଥାନାର ଜୁଆଣିଆ ଗାଁରେ ଡକାୟତି କରି ଏକ କାର ଯୋଗେ ଖସି ପଳାଉଥିବା ଏକ ଡକାୟତି ଦଳକୁ ଆଳି ଥାନା ପୋଲିସ ଓ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ପିଛା କରିଥିଲେ। ପୋଲିସ କାରଟିକୁ ଅଟକାଇବା ପରେ ପୋଲିସ ଉପରକୁ ଗୁଳି ଚଳାଇ ଏହି ଦଳର ୪ ଜଣ ଖସି ଯିବାକୁ ସମର୍ଥ ହୋଇଥିଲେ। ଏମାନଙ୍କ ମଧ୍ୟରୁ  ହୃଷିକେଶ ମଳିକ ପୋଲିସ ଗୁଳିର ଶିକାର ହୋଇଥିଲା।

ହୃଷିକେଶର ଦୁଇ ଗୋଡ଼ରେ ପୋଲିସର ଗୁଳି ବାଜିଛି। ଆହତ ହୃଷିକେଶକୁ ପୋଲିସ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ହୃଷିକେଶକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି। ପୋଲିସ ଜବତ କରିଥିବା କାର ମଧ୍ୟରୁ ଶାବଳ, ଖଣ୍ଡା, ଚାପଡ଼ ଓ ଏକ ଖେଳନା ବନ୍ଧୁକ ଜବତ କରାଯାଇଛି।

ଏହି ଡକାୟତ ଦଳ ଶୁକ୍ରବାର ରାତିର ଆଳି ଥାନା ଜୁଆଣିଆ ଗାଁର ନବଘନ ପରିଡାଙ୍କ ଘରେ ପଶି ପରିବାରର ୩ ଜଣଙ୍କୁ ଖଣ୍ଡା ଓ ଶାବଳରେ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି। ଆହତମାନଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଡକାୟତି ଦଳ ନବଘନଙ୍କ ଘର ଆଲମିରା ଲକ୍କର ତାଡି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏନକାଉଣ୍ଟର ହୋଇଥିବା ହୃଷିକେଶ ନାମରେ କେନ୍ଦ୍ରାପଡ଼ା ଜିଲ୍ଲା ଓ ଜିଲ୍ଲା ବାହାରେ ବହୁ ଚୋରି, ଡକାୟତି ଓ ରାହାଯାନୀର ଅଭିଯୋଗ ରହିଛି।

LEAVE A REPLY

Please enter your comment!
Please enter your name here