ଓଡ଼ିଶାଲାଇଭ ବ୍ୟୁରୋ

ବାହାରିଲା ପ୍ଲାଷ୍ଟିକ ବୋତଲର ବିକଳ୍ପ। ଏଣିକି ପ୍ଲାଷ୍ଟିକ ବୋତଲ ବଦଳରେ ବାଉଁଶ ବୋତଲରେ ପିଇ ପାରିବେ ପାଣି। ଅକ୍ଟୋବର ୧ରେ ବଜାରକୁ ଆସିବ ବାଉଁଶ ବୋତଲ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟକରୁଥିବା ଖଦୀ ଗ୍ରାମଉଦ୍ୟୋଗ ଏହି ବାଉଁଶ ବୋତଲର ନିର୍ମାଣ କରିଛି। ଏହି ବୋତଲର ଜଳ ଧାରଣ କ୍ଷମତା ପ୍ରାୟ ୭୫୦ ମିଲି ଲିଟର ରହିଛି। ଏହାର ଦାମ୍‌ ୩୦୦ ଟଙ୍କାରୁ ଆରମ୍ଭ।

ଏହି ବୋତଲ ପରିବେଶ ପାଇଁ ଉପକାର ହେବା ସହ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇପାରିବ। ଅକ୍ଟୋବର ୧ରେ ଏମଏସଏମଇ ମନ୍ତ୍ରୀ ନିତିନ ଗଡକାରୀ ଏହାକୁ ଶୁଭାରମ୍ଭ କରିବେ। ଅକ୍ଟୋବର ୨ରେ ଏହା ସବୁ ଦୋକାନରେ ଉପଲବ୍ଧ ହେବ।

କେଭିଆଇସି ଦ୍ଵାରା ପୂର୍ବରୁ ପ୍ଲାଷ୍ଟିକ ଗ୍ଲାସ ବଦଳରେ ମାଟିରେ ତିଆରି ପାତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହି ପ୍ରକ୍ରିୟା ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ମାଟି ପାତ୍ର ନିର୍ମାଣ ସରିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ସଂଖ୍ୟା ୩ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି କେଭିଆଇସି।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପୂର୍ବରୁ ହିଁ ପ୍ଲାଷ୍ଟିକ ବୋତଲର ବିକଳ୍ପ ଖୋଜି ବାହାର କରାଯାଇଛି।

Comment