ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବୁଧବାରଠୁ ‘ମୋ ସରକାର’। ଫୋକସ୍ରେ ଥାନା ଓ ଡାକ୍ତରଖାନା।
ଡାକ୍ତରଖାନାରେ ରୋଗୀଙ୍କୁ ଉଚିତ୍ ସେବା ମିଳୁଛି କି? ରୋଗୀଙ୍କୁ ଡାକ୍ତରମାନେ କେମିତି ବ୍ୟବହାର କରୁଛନ୍ତି? ଥାନାରେ ସାଧାରଣ ଲୋକଙ୍କ ଅଭିଯୋଗକୁ କେତେ ଗୁରୁତ୍ୱ ମିଳୁଛି? ଥାନା ବାବୁ ଆପଣଙ୍କ ସହିତ କେମିତି ବ୍ୟବହାର କଲେ?
ଏସବୁ ନିଜେ ତଦାରଖ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧୀ ଜୟନ୍ତୀରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ୍ କରିବେ। ଥାନା ଓ ଡାକ୍ତରଖାନା ଯାଇଥିବା ଲୋକଙ୍କଠାରୁ ମତାମତ ନେବେ। ‘ମୋ ସରକାର’ ଯୋଜନାରେ ପ୍ରଶାସନକୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରଥମ ଦଫାରେ ଥାନା ଓ ଡାକ୍ତରଖାନା ସରକାରଙ୍କ ଫୋକସ୍ରେ ରହିଛି। ମୁଖ୍ୟମନ୍ତ୍ରୀ ପ୍ରତିଦିନ ୧୦ ଜଣ ଲୋକଙ୍କର ଫିଡ୍ବ୍ୟାକ ନେବେ।
ଭୁବନେଶ୍ୱର ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନା ଶୁଭାରମ୍ଭ ହେବ।
ମୋ’ ସରକାର ପାଠଶାଳା
‘ମୋ ସରକାର’ ଯୋଜନା ଲାଗୁ ହେବା ପୂର୍ବରୁ ସବୁ ପ୍ରଶାସନିକ ଅଧିକାରୀଙ୍କୁ ଗତ ୩ ତାରିଖରେ ପାଠ ପଢ଼ାଇଥିଲେ 5-T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ଲୋକସେବା ଭବନରେ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ପାଣ୍ଡିଆନ୍।
‘ମୋ ସରକାର’ କ’ଣ ଏବଂ ଏହାର ଆଭିମୁଖ୍ୟ ବିଷୟରେ ଅଫିସରମାନଙ୍କୁ ବିସ୍ତୃତ ଭାବେ କହିଥିଲେ ପାଣ୍ଡିଆନ୍।
ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କର ଫୋନ ନମ୍ବର ପ୍ରଥମେ ପଞ୍ଜିକୃତ ହେବ। ମୋ’ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ କରାଯିବ। ପରେ ମୋ ସରକାର ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ୨୪ ଘଣ୍ଟା ଭିତରେ ଏକ ମେସେଜ ଯିବ। ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ କରିବାରେ ଥାନା ଅଧିକାରୀ ଯଦି ଅବହେଳା କରନ୍ତି ତାହାଲେ ସେମାନେ ଟୋଲ ଫ୍ରି ନମ୍ବରକୁ ଫୋନ୍ କରିପାରିବେ। ଥାନାରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ।
ଖାଲି ସେତିକି ନୁହେଁ, ମୋ ସରକାର ଯୋଜନାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5-T ସଚିବ ପାଣ୍ଡିଆନ୍ ରାଜ୍ୟର ବିଭିନ୍ନ ଥାନା ଅଧିକାରୀ ଏବଂ ଏସ୍ପିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ। ଏହି ଯୋଜନାକୁ ଲୋକାଭିମୁଖି ଏବଂ 5-Tକୁ ଅଧିକ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ।
ସିଡିଏମ୍ଓଙ୍କୁ ତାଗିଦ୍
ଥାନା ଅଧିକାରୀଙ୍କ ସହ କଥା ହେବା ପରେ ମୁଖ୍ୟମନ୍ତ୍ରୀ ସିଡିଏମ୍ଓଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଯେମିତି ଉଚିତ୍ ସେବା ମିଳେ ସେନେଇ ତତ୍ପର ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହ ମେଡିକାଲକୁ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍ ଲୋକଙ୍କ ପାଖକୁ ଯିବା ପୂର୍ବରୁ ପୋଲିସ ଡିଜି ଏବଂ ପୋଲିସ କମିଶନର ଲୋକଙ୍କ ସହ କଥା ହୋଇଥିଲେ। ଥାନାରେ ସେମାନଙ୍କୁ କେମିତି ବ୍ୟବହାର କରାଗଲା ସେନେଇ ମତାମତ ନେଇଥିଲେ।
ମୋ’ ସରକାରକୁ ନେଇ ରାଜ୍ୟ ସରକାର ଉତ୍ସାହିତ ଅଛନ୍ତି। 5-Tକୁ କାର୍ଯ୍ୟକାରୀ କରିବା ଉପରେ ସରକାର ସମ୍ପୂର୍ଣ୍ଣ ଫୋକସ୍ କରୁଛନ୍ତି। ଏହାରି ଭିତରେ ବିରୋଧୀ ରାଜ୍ୟ ସରକାରଙ୍କୁ ବାଣ ମାରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ‘ମୋ ସରକାର’ କାହିଁକି ‘ଆମ ସରକାର’ ହେଲାନି ବୋଲି ପ୍ରଶ୍ନ କରିଛନ୍ତି।
ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ଏହି ନୂଅର ପଦକ୍ଷେପରେ ଲୋକେ ଉପକୃତ ହେବେ ଏବଂ ପ୍ରଶାସନ ସୁଦୃଢ଼ ହେବ ବୋଲି ସରକାର ଆଶାବାଦୀ ଅଛନ୍ତି।