ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରୁ ପ୍ରକାଶିତ ପୁରାତନ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ଶାରଦୀୟ ସାରସ୍ୱତ ସମାରୋହ ସ୍ଥାନୀୟ ‘ଆତିଥ୍ୟ’ ସଭାଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ପତ୍ରିକାର ସଂପାଦିକା ମମତା ମହାପାତ୍ର ପୌରୋହିତ୍ୟ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ମଧୁମିତା ଦାସ ଯୋଗଦେଇଥିଲେ।

ସମାଜରେ ନୈତିକତାର ଅଭାବ ଦେଖା ଯାଉଥିବା ବେଳେ ପୁସ୍ତକ ପଢ଼ିବାର ଆଗ୍ରହ ମଧ୍ୟ କମିବାରେ ଲାଗିଛି। ବର୍ତ୍ତମାନ ସମାଜ ଏବେ ସଙ୍କଟପୂର୍ଣ୍ଣ ପରିସ୍ଥିତି ଦେଇ ଗତିକରୁଛି। ସାହିତ୍ୟ ପତ୍ରିକା ଦ୍ୱାରା ଏହାକୁ ବଦଳାଇବା ସହ ନୂତନ ଦିଗ୍‌ଦର୍ଶନ, ଚିନ୍ତା ଓ ସଂସ୍କାର ଆଣିବାକୁ ଡକ୍ଟର ମଧୁମିତା ଦାସ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଯୋଗଦେଇ କହିଲେ ଯେ, ଯୁଗଯୁଗ ଧରି ନାରୀମାନଙ୍କ ପ୍ରତି ସାହିତ୍ୟରେ ଅନ୍ୟାୟ ଦୃଷ୍ଟିଭଙ୍ଗୀ ପୋଷଣ କରାଯାଇଛି। ଉଭୟ ନାରୀ ଓ ପୁରୁଷଙ୍କ ଆତ୍ମିକ ସାଧନା ଦ୍ୱାରା ହିଁ ସମର୍ଥ ସାହିତ୍ୟ ସୃଷ୍ଟି ହୋଇପାରିବ। ମହିଳା ପତ୍ରିକା ମାଧ୍ୟମରେ ନାରୀ ସଶକ୍ତିକରଣ ହିଁ ମହିଳାମାନଙ୍କର ଏକ ସାରସ୍ୱତ ଗଣତାନ୍ତ୍ରିକକରଣ ଓ ନାରୀ ପତ୍ରକାରମାନେ ନାରୀମାନଙ୍କ ପ୍ରତି ଅନ୍ୟାୟ ବିରୋଧରେ ପ୍ରତିବାଦର ପରମ୍ପରା ସୃଷ୍ଟି କରିପାରିଛନ୍ତି।

ସମ୍ମାନିତ ଅତିଥି ସୁଶ୍ରୀ ଅରୁଣା ରାୟ ତାଙ୍କ ବକ୍ତବ୍ୟରେ ପତ୍ରିକାର ସଂପାଦକୀୟ, ସାକ୍ଷାତ୍କାର ଓ ସୁବର୍ଣ୍ଣସେତୁ ଭଳି ଗୁଣାତ୍ମକ ଲେଖା ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାକୁ ଏକ ଅନନ୍ୟ ବିଶେଷତ୍ୱ ପ୍ରଦାନ କରିଛି ବୋଲି ପ୍ରଶଂସା କରିଥିଲେ। ସମ୍ମାନିତ ବକ୍ତା ଡକ୍ଟର ମୀନାକ୍ଷୀ ପଣ୍ଡା ନାରୀ ନିର୍ଯ୍ୟାତନା ବିରୋଧରେ ସ୍ୱର ଉତ୍ତଳନ କରିବାକୁ ଆହ୍ୱାନ ଦେଇଥିଲେ।

‘ଯୁଗଶ୍ରୀ ଯୁଗନାରୀ’ର ସଂପାଦିକା ମମତା ମହାପାତ୍ର ଶାରଦୀୟ ବନ୍ଧୁମିଳନ ଉତ୍ସବ ଆୟୋଜନର ଲକ୍ଷ୍ୟ ଓ ପତ୍ରିକାର ଗୁଣବତ୍ତା ସମ୍ବନ୍ଧରେ ସୂଚନା ଦେବା ସଂଗେ ସଂଗେ ସମସ୍ତଙ୍କର ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

‘ଯୁଗଶ୍ରୀ ଯୁଗନାରୀ’ର ସହ ସଂପାଦିକା ଡକ୍ଟର ପ୍ରଭାବତୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ ପୂଜା ସଂଖ୍ୟା-୨୦୧୯ ଉନ୍ମୋଚିତ ହୋଇଥିଲା। ଏଥର ସଂଖ୍ୟାରେ ବିଶିଷ୍ଟ କବି ମମତା ଦାଶଙ୍କ ସାକ୍ଷାତ୍‌କାର ସ୍ଥାନିତ ହୋଇଛି। ଡକ୍ଟର କ୍ଷିତୀଶ୍ୱର ଦାଶଙ୍କ ବେଦପାଠ ପରେ ‘ବନ୍ଦେ ଉକ୍ରଳ ଜନନୀ’ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଅଧ୍ୟାପକ କମଳାକାନ୍ତ ଦାଶଙ୍କ ମଂଚ ଆହ୍ୱାନ ପରେ ପଣ୍ଡିତ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।

Comment