ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆନ୍ଦୋଳନରେ ବସିଥିବା ପରିବହନ ନିଗମର କର୍ମଚାରୀଙ୍କୁ ଚାକିରୀରୁ କଲେ ବିଦା।
ଚାରିଆଡ଼େ ପୂଜାର ମାହୋଲ। ପୂଜା ପାଇଁ କର୍ମଚାରୀମାନଙ୍କୁ ସରକାର ଏବଂ ବିଭିନ୍ନ କମ୍ପାନି ବୋନସ୍ ଦେଇଥାନ୍ତି। ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୪୮ ହଜାର କର୍ମଚାରୀଙ୍କୁ କେସିଆର୍ ଚାକିରୀରୁ ବହିଷ୍କାର କରିଛନ୍ତି।
ତେଲେଙ୍ଗାନା ରାଜ୍ୟ ପହିବହନ ନିଗମର କର୍ମଚାରୀଙ୍କ ବିରୋଧରେ ଏଭଳି କଠୋର ପଦକ୍ଷେପ ନେଇଛନ୍ତି କେସିଆର୍।
ପରିବହନ ନିଗମର କର୍ମଚାରୀମାନେ ସେମାନଙ୍କ ପୁରୁଣା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କର୍ମଚାରୀମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ। ଫଳରେ ପରିବହନ ନିଗମରେ ସବୁ କାମ ଠପ୍ ହୋଇଯାଇଥିଲା।
ଏହି ସମସ୍ୟାକୁ ନେଇ କେ ଚନ୍ଦ୍ର ଶେଖର ରାଓ ରବିବାର ସନ୍ଧ୍ୟାରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। କର୍ମଚାରୀମାନଙ୍କ ଦାବିକୁ ନେଇ ଆଲୋଚନା ହୋଇଥିଲା। ଆଲୋଚନା ପରେ ୪୮ ହଜାର କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିବା ତେଲେଙ୍ଗାନା ସରକାର ଘୋଷଣା କରିଥିଲେ।
ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ସରକାର କର୍ମଚାରୀମାନଙ୍କୁ ନିବେଦନ କରିଥିଲେ। ଆନ୍ଦୋଳନ ଛାଡ଼ି ଆଲୋଚନା କରିବାକୁ ସରକାର କହିଥିଲେ। ହେଲେ କର୍ମଚାରୀମାନେ ସେମାନଙ୍କ ଜିଦ୍ରେ ଅଟଳ ରହିଥିଲେ। ଶେଷରେ ସରକାର ଶନିବାର ସନ୍ଧ୍ୟା ୬ଟା ଯାଏଁ ଡେଡ୍ଲାଇନ୍ ଦେଇଥିଲେ।
ଏହି ସମୟ ଭିତରେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାର କହିଥିଲେ। ଆନ୍ଦୋଳନରତ ମୋଟ ୪୯ ହଜାର ୩୪୦ କର୍ମଚାରୀଙ୍କ ଭିତରୁ ମାତ୍ର ୧୨୦୦ କର୍ମଚାରୀ ଶନିବାର ସନ୍ଧ୍ୟା ୬ଟା ଭିତରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଯେଉଁମାନେ କାର୍ଯ୍ୟରେ ଯୋଗ ଦେଇ ନଥିଲେ ସେମାନଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚାକିରୀରୁ ବହିଷ୍କାର କରିଛନ୍ତି।
ଏହି ବହିଷ୍କାର ଆଦେଶ ପରେ ଖୁବ୍ଶୀଘ୍ର ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ଏପଟେ ଯାତାୟତକୁ ସ୍ୱାଭାବିକ କରିବା ପାଇଁ ତେଲେଙ୍ଗାନା ସରକାର ୨ ହଜାର ୫୦୦ ବସ୍ ଲିଜ୍ରେ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ୪ ହଜାର ୧୧୪ ଘରୋଇ ବସ୍କୁ ଟିଏସ୍ଆର୍ଟିସିରେ ସାମିଲ କରାଯାଇଛି।















