ଓଡ଼ିଶାଲାଇଭ୍ ବ୍ୟୁରୋ

‘ଲକ୍ଷ୍ମୀ’ ଯୋଜନା ବସ୍ ଚଳାଚଳକୁ ନେଇ ଗୁରୁବାର ଦିନ ରାଜ୍ୟ ସରକାର ଏବଂ ଘରୋଇ ବସ ମାଲିକ ସଂଘ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଆଗକୁ କୌଣସି ବସ୍ ଧର୍ମଘଟ ହେବ ନାହିଁ, ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

“ଆସନ୍ତା ୩୦ ତାରିଖ ସୁଦ୍ଧା ବସ ମାଲିକ ସଂଘ ସେମାନଙ୍କ ଦାବିଗୁଡ଼ିକୁ ଲିଖିତ ଆକାରରେ ଦେବେ। ଯାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବା ଉଭୟ ସରକାର ଏବଂ ବସ ମାଲିକଙ୍କର ଲକ୍ଷ୍ୟ ରହିଛି। ବସ ମାଲିକମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ଯେଉଁ ସ୍ଥାନଗୁଡ଼ିକରେ ବସ୍ ଚଳାଚଳ କରୁନଥିଲା ସେଠାରେ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ସେବା ଆରମ୍ଭ ହୋଇଛି। ଏହା ଦ୍ଵାରା ଗାଁଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତେ ସୁବିଧାରେ ଯାତାୟତ କରିପାରିବେ”, କହିଛନ୍ତି ଟୁକୁନି ସାହୁ।

ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ଚଳାଳକୁ ବିରୋଧ କରୁଛି ଘରୋଇ ବସ ମାଲିକ ସଂଘ। ଏହି ରୁଟରେ ‘ଲକ୍ଷ୍ମୀ’ ବସ୍ ଚାଲିଲେ ବସ ମାଲିକମାନେ କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି। ପୂର୍ବରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ‘ଲକ୍ଷ୍ମୀ’ ବସ୍ ଚଳାଚଳ ନକରିବାକୁ ଦାବି କରି ଆନ୍ଦୋଳନ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ। ଏହାକୁ ନେଇ ସରକାରଙ୍କ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଫଳରେ ଶୁକ୍ରବାର ଦିନ ରାଜ୍ୟ ବ୍ୟାପି ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବସ ଧର୍ମଘଟ ଯୋଗୁଁ ଯାତ୍ରୀଙ୍କୁ ନାହିଁ ନଥିବା ହଇରାଣ ହରକତ ହେବାକୁ ପଡ଼ିଥିଲା।

ପୁନର୍ବାର ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ଘରୋଇ ବସ୍ ଧର୍ମଘଟକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସଂଘ ପକ୍ଷରୁ ଘୋଷଣା କରାଯିବା ପରେ ରାଜ୍ୟରେ ବସ୍ ଚଳାଚଳ ସ୍ଵାଭାବିକ ହୋଇଥିଲା। ଗୁରୁବାର ଦିନ ପୁନର୍ବାର ଏହାକୁ ନେଇ ରାଜ୍ୟ ସରକାର ଏବଂ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ପାଇଁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Tags: #BusStrike #Odisha #PrivateBusownersassociation #OdishaGovt #commerceandtransportDepartment

LEAVE A REPLY

Please enter your comment!
Please enter your name here