ଓଡ଼ିଶାଲାଇଭ୍ ବ୍ୟୁରୋ

ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ବୁଧବାର ଦିନ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବୈଠକ ପରେ ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଏ ନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳକୁ ବିରୋଧ କରି ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ଲକ୍ଷ୍ମୀ ଯୋଜନା ବସ ଚଳାଚଳକୁ ନେଇ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ ମାଲିକ ସଂଘ। ସଂଘର କିଛି ଦାବିକୁ ସରକାର ମାନି ନେଇଥିବାରୁ ଏହି ଧର୍ମଘଟ ପ୍ରତ୍ୟାହାର ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଗଜପତି, ଭବାନୀପାଟଣା ଏବଂ ରାୟଗଡ଼ାରେ ଗଡ଼ୁଛି ଲକ୍ଷ୍ମୀ ବସ। ଏହା ପରେ ନବରଙ୍ଗପୁର ଏବଂ କୋରାପୁଟରେ ଏହି ଯୋଜନାର ଶୁଭାରମ୍ଭ ହେବ।

ଘରୋଇ ବସ ମାଲିକ ସଂଘର ଦାବି ରହିଛି ଲକ୍ଷ୍ମୀ ବସ ପଞ୍ଚାୟତରୁ ବ୍ଲକସ୍ତରକୁ ଯାଇପାରିବ, କିନ୍ତୁ ବ୍ଲକରୁ ଜିଲ୍ଲାସ୍ତରକୁ ଚଳାଚଳ କରିବ ନାହିଁ। ଲକ୍ଷ୍ମୀ ବସ ଚଳାଚଳକୁ ନେଇ ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

Tags: #BusStrike #PrivateBusOwner #Odisha #OdishaGovt

Comment