ଓଡ଼ିଶାଲାଇଭ ବ୍ୟୁରୋ

ରାଞ୍ଚିରେ ଚାଲିଥିବା ୫୯ତମ ଜାତୀୟ ସିନିୟର ଆତଲେଟିକ୍ସ ଚାମ୍ପିୟନସିପ୍‌ରେ ଓଡ଼ିଶାର ସ୍ପ୍ରିଣ୍ଟର ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାସହ ଦୂତି ନିଜର ଜାତୀୟ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି। ପୂର୍ବରୁ ସେ ୧୦୦ ମିଟରରେ ଜାତୀୟ ରେକର୍ଡ ୧୧.୨୬ ସେକେଣ୍ଡ ରହିଥିବା ବେଳେ ଶୁକ୍ରବାର ଏହାକୁ ୧୧.୨୨ ସେକେଣ୍ଡ ରେ ପୂରା କରି ନୂଆ ରେକର୍ଡ କରିଛନ୍ତି।

ଫାଇନାଲରେ ଦୂତି ନିର୍ଦ୍ଧାରିତ ଦୂରତାକୁ ୧୧.୨୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ ୧୧.୫୪ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ରେଲୱେର ହିମାଶ୍ରୀ ରୟ ୧୧.୫୭ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁରୁଷ ୧୦୦ ମିଟର ଫାଇନାଲକୁ ଅମିୟ ୧୦.୪୬ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ମ୍ୟାଲେସିୟାର ଜୋନାଥନ୍ ଅନାକ୍ ନ୍ୟେପା ୧୦.୪୭ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ପଞ୍ଜାବର ଗୁରିନ୍ଦରବୀର ସିଂହ ୧୦.୪୮ ସେକେଣ୍ଡରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି।

Comment