ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦ ଯାଏଁ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର
  • ୧୫ ଦେଶରୁ ୨୫ ବିଦେଶୀ ଟୁର୍‌ ଅପରେଟର ଯୋଗ ଦେବେ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦ୍‌ଘାଟନ
  • ୨୪୦୦ ବି ଟୁ ବି ବୈଠକ
  • ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ହେବ ଆଲୋଚନା

ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୧୪ରୁ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ। ଅକ୍ଟୋବର ୧୪ରୁ ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ଛଅ ଦିନର ମେଗା ଟ୍ରାଭେଲ ବଜାରରେ ମୋଟ୍ ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍ ଅପରେଟର ଏବଂ ଭାରତର ୬୦ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ,”ଓଡ଼ିଶା ପର୍ଯ୍ୟଟନର ବିକାଶରେ ଓଡ଼ିଶା ଟ୍ରାଭେଲ ବଜାର ସହାୟକ ହେବ। ଏହା ଦ୍ୱାରା ବିଶ୍ୱସ୍ତରରେ ଓଡ଼ିଶା ଟୁରିଜିମ୍‌ର ପ୍ରଚାର ପ୍ରସାର ହୋଇପାରିବ।”

ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍‌ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍‌ ଅପରେଟରମାନଙ୍କ ସହ ବି ଟୁ ବି ଆଲୋଚନା କରିବେ।ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ କେମିତି ଆକର୍ଷିତ ହେବ ସେ ବିଷୟରେ ଆଲୋଚନା ହେବ।

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୨୪୦୦ଟି ବି ଟୁ ବି ବୈଠକ ହେବ। ବି ଟୁ ବି ଆଲୋଚନାରେ ବିଦେଶୀ ଟୁର୍‌ ଅପରେଟର ଏବଂ ଓଡ଼ିଶା ଟୁର୍‌ ଅପରେଟରଙ୍କ ଭିତରେ ବ୍ୟବସାୟିକ ବୁଝାମଣା ମଧ୍ୟ ହୋଇପାରେ।

ଓଡ଼ିଶାର ଐତିହ୍ୟ, ସଂସ୍କୃତି, ଆଦିବାସୀ ପର୍ଯ୍ୟଟନ, ବୌଦ୍ଧ ପର୍ଯ୍ୟଟନ, ହସ୍ତକଳା, ହସ୍ତତନ୍ତ, ପରିବେଶ, ବନ୍ୟଜନ୍ତୁ ପର୍ଯ୍ୟଟନ ସହିତ ତୀର୍ଥଯାତ୍ରୀ ପର୍ଯ୍ୟଟନର ପ୍ରଚାର ଓ ପ୍ରସାରକୁ ଏଥିରେ ଗୁରୁତ୍ୱ ଦିଆଯିବ।

ଓଡ଼ିଶା ଟ୍ରାଭେଲ ବଜାରରେ ଯୋଗ ଦେଇଥିବା ବିଦେଶୀ ଟୁର୍‌ ଅପରେଟରମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ବିଷୟରେ ଅବଗତ କରାଇବା ଲାଗି ସେମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲାଇବାକୁ ନିଆଯିବ।

“ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଛି। ଗୁଜୁରାଟ ଭଳି ଓଡ଼ିଶାର କୋଣାର୍କରେ ୫୦ଟି ଟେଣ୍ଟ୍‌ ଘର ସହ କୋଣାର୍କ ସ୍ୟାଣ୍ଡ ସିଟି ଡେଭେଲପମେଣ୍ଟ କାର୍ଯ୍ୟକ୍ରମ ପାଇଁ ବିଚାର ଚାଲିଛି। ଏହା ଏକ ମାସ ଧରି ଚାଲିବ”, କହିଛନ୍ତି ବିଶାଳ ଦେବ।

ଭାରତ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି। ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହେବା ଦ୍ୱାରା ଆମ ପର୍ଯ୍ୟଟନ ଆହୁରି ସମୃଦ୍ଧ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ହୋଇ ପାରିବ। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଆକର୍ଷଣ ସମ୍ପର୍କରେ ଦେଶ ବିଦେଶର ଲୋକେ ଜାଣିବାର ସୁଯୋଗ ପାଇବେ। ତେଣୁ ଓଡ଼ିଶା ପର୍ଯ୍ୟଟନର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି।

୨୦୧୮ରେ ଅକ୍ଟୋବର ୫ରୁ ୭ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଟ୍ରାଭେଲ ବଜାର। ଏଥିରେ ଦେଶ ବିଦେଶର ବହୁ ଟୁର୍‌ ଏବଂ ଟ୍ରାଭେଲ ଅପରେଟର ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ୨୦୧୭ରେ ଓଡ଼ିଶା ଟ୍ରାଭେଲ ବଜାର ଆରମ୍ଭ ହୋଇଥିଲା।

ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ ଏବଂ ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ଜେ କେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଡିଜିଟାଲ ମିଡିଆ ମାଧ୍ୟମରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଲେଖା ଏବଂ ଭିଡିଓମାନ ଡିଜିଟାଲ ମିଡିଆରେ ପ୍ରସାରଣ କରାଯାଇ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚାଯାଉଛି।

LEAVE A REPLY

Please enter your comment!
Please enter your name here