ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ସିଡିଏମ୍‌ଓଙ୍କ ନିଲମ୍ବନକୁ ନେଇ ତେଜିଲା ରାଜନୀତି। ଏହାକୁ ବିରୋଧ କରି ବିଜେପି ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ କରିଥିଲା। ଏହି ବନ୍ଦକୁ ସୁନ୍ଦରଗଡ଼ ବାସିନ୍ଦା ବି ସମର୍ଥନ କରିଥିଲେ। ଡାକ୍ତର ଅଭାବ ଥିବା ବେଳେ ସିଡିଏମ୍‌ଓଙ୍କ ନିଲମ୍ବନ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ସାଧାରଣ ଲୋକ।

ରାଜ୍ୟ ସରକାର ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଥାନା ଏବଂ ଡାକ୍ତରଖାନାକୁ ପ୍ରାଥମିକ ପର୍ଯ୍ୟାୟରେ ଫୋକସ୍‌ରେ ରଖାଯାଇଛି। ଡାକ୍ତରଖାନାରେ ରୋଗୀଙ୍କୁ ଠିକ୍‌ ସେବା ମିଳୁଛି କି ନାହିଁ ତାର ତଦାରଖ କରୁଛନ୍ତି 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ।

ପାଣ୍ଡିଆନ୍‌ ରବିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ଡାକ୍ତରଖାନାର ଅବସ୍ଥା ଦେଖିବା ସହ ରୋଗୀଙ୍କ ସହ କଥା ହୋଇଥିଲେ। ରୋଗୀମାନେ କିନ୍ତୁ ଡାକ୍ତରଖାନାରେ ଠିକ୍‌ ସେବା ମିଳୁ ନଥିବା ଅଭିଯୋଗ କରିଥିଲେ।

ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ 5-T ସଚିବ। ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ସିଧା ନିଲମ୍ବନ କରିଥିଲେ ସଚିବ। ରବିବାର ନିଲମ୍ବିତ ଘଟଣା ପରେ ସୋମବାର ଦିନ ରାଜନୀତି ତେଜିଛି। ବିନା କାରଣରେ କାହିଁକି ସିଡିଏମ୍‌ଓଙ୍କୁ ନିଲମ୍ବନ କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି।

ଏହାକୁ ନେଇ ବିଜେପି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ କରିଥିଲା। ବିଧାୟକ କୁସୁମ ଟେଟେଙ୍କ ନେତୃତ୍ୱରେ ହୋଇଥିବା ବନ୍ଦକୁ ସୁନ୍ଦରଗଡ଼ର ସାଧାରଣ ଲୋକ ସମର୍ଥନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଜେପି କର୍ମୀ ବିକ୍ଷୋଭ କରିଥିଲେ।

କୁସୁମ ଟେଟେ କହିଛନ୍ତି, ‘‘ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୪୦ ଜଣ ଡାକ୍ତର ଆବଶ୍ୟକତା ଥିବା ବେଳେ ସାରା ଜିଲ୍ଲାରେ ୧୫୭ ଡାକ୍ତରଙ୍କର ଆବଶ୍ୟକତା ରହିଛି। କିନ୍ତୁ ଭୁଲ୍‌ ବୁଝାମଣା ପାଇଁ ସିଡିଏମ୍‌ଓଙ୍କୁ ନିଲମ୍ବିତ କରାଯାଇଛି। ଡାକ୍ତର ନିଯୁକ୍ତି କରିବାରେ ରାଜ୍ୟ ସରକାର ବିଫଳ। ଏଥଇପାଇଁ ସିଡିଏମ୍‌ଓଙ୍କୁ ନିଲମ୍ବିତ କରାଯିବା ଦୁର୍ଭାଗ୍ୟଜନକ।’’

LEAVE A REPLY

Please enter your comment!
Please enter your name here