ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କୌଣସି ଡାକ୍ତର ନିଜ ସରକାରୀ ବାସଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରି ଚିକିତ୍ସା ଯୋଗାଇବେ ନାହିଁ ବୋଲି ସିଡିଏମ୍ଓ ଡାକ୍ତର ମକରନ୍ଦ ବେଉରା କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଏପରି କଡ଼ା ଆଭିମୁଖ୍ୟ ପରେ ଜିଲ୍ଲା ହସ୍ପିଟାଲରେ କାମ କରି ସରକାରୀ ବାସଭବନରେ ରୋଗୀ ସେବା ପାଇଁ ଅର୍ଥ ଆଦାୟ କରୁଥିବା କେତେଜଣ ଡାକ୍ତରଙ୍କ ରୋଜଗାର ବନ୍ଦ ହୋଇଯାଇଛି। ସିଡିଏମ୍‌ଓଙ୍କ ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ଵାଗତ କରିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି।

ନୟାଗଡ଼ ଜିଲ୍ଲା ହସ୍ପିଟାଲ ପରିସରରେ ଥିବା ସରକାରୀ ବାସଭବନରେ ରହି କେତେ ଜଣ ଡାକ୍ତର ରୋଗୀ ଚିକିତ୍ସା କରି ଅତିରିକ୍ତ ଅର୍ଥ ରୋଜଗାର କରିଆସୁଥିଲେ। ହସ୍ପିଟାଲକୁ ଆସୁଥିବା ଦୈନିକ ଶହ ଶହ ରୋଗୀଙ୍କୁ ପ୍ରବର୍ତ୍ତାଇ ଡାକ୍ତରଖାନା ବର୍ହିରୋଗ ୱାର୍ଡରେ ମାଗଣା ଚିକିତ୍ସା କରିବା ପରିବର୍ତ୍ତେ ସରକାରୀ ବାସଭବନରେ ଚିକିତ୍ସା କରୁଥିଲେ। ରୋଗୀମାନେ ଚିକିତ୍ସା ବାବଦକୁ ୩୦୦ ଟଙ୍କା ଲେଖାଏଁ ଫି’ ସମ୍ପୃକ୍ତ ଡାକ୍ତରମାନଙ୍କୁ ପ୍ରଦାନ କରୁଥିଲେ। ଏପରିକି ନିଜ ବାସଭବନରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରମାନେ ଡାକ୍ତରଖାନାରେ ରୋଗୀ ଦେଖିବା କଥା ଭୁଲି ଯାଉଥିଲେ।  

ଅନେକ ସମୟରେ ଓପିଡି ୱାର୍ଡରେ ସକାଳ ୮ଟାରେ କାର୍ଯ୍ୟରେ ଯୋଗ ଦେବା ପରିବର୍ତ୍ତେ କିଛି ଡାକ୍ତର ନିଜ ଇଛାରେ ଡାକ୍ତରଖାନା ଆସୁଥିବା ଅନେକ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଆସୁଥିଲେ। ଦୀର୍ଘ ଦିନ ଧରି ଏହିପରି ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଏ ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

ଦୁଇ ଦିନ ତଳେ ହସ୍ପିଟାଲ କ୍ୟାମ୍ପସ ଭିତରେ ଚଢ଼ାଉ କରାଯିବା ସମୟରେ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସରକାରୀ ବାସଭବନ ଆଗରେ ରୋଗୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ଖବର ନେବା ପରେ ଜଣାପଡ଼ିଥିଲା ସମ୍ପୃକ୍ତ ଡାକ୍ତର ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଲେଖାଏଁ ଫି’ ଆଦାୟ କରୁଛନ୍ତି। ଡାକ୍ତରଖାନାରୁ ରୋଗୀମାନଙ୍କୁ କିଛି ଦଲାଲ ଏଠାକୁ ଆଣୁଥିବା ଶୁଣିବାକୁ ମିଳିଛି। ସରକାରୀ ନିୟମ ଉଲ୍ଲଂଘନ କରି ସରକାରୀ ବାସ ଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରୁଥିବାରୁ ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ପରେ ସମ୍ପୃକ୍ତ ଡାକ୍ତର ରୋଗୀ ସେବା ବନ୍ଦ ରଖିଥିବା ଜଣାପଡ଼ିଛି।

ସିଡିଏମ୍ଓଙ୍କ କାର୍ଯ୍ୟାନୁଷ୍ଠାନ ଡରରେ ଅନ୍ୟ କେତେଜଣ ଡାକ୍ତର ନିଜ ସରକାରୀ ବାସଭବନରେ ରୋଗୀ ଚିକିତ୍ସା କରିବା ବନ୍ଦ କରିଛନ୍ତି। ଅନ୍ୟ ପକ୍ଷରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସିଡିଏମ୍‌ଓ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Tags: #NayagarhHospital #CDMO #Doctors #Treatment  #Patients #Fee

Comment