ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦୁଇ ଦିନ ପରେ ବିଜେପୁର ଉପନିର୍ବାଚନ। ଏଥିପାଇଁ ବିଜେପୁରରେ ଜମୁଛି ପ୍ରଚାର। ସବୁ ରାଜନୈତିକ ଦଳର ତୁଙ୍ଗନେତା ବିଜେପୁରରେ ଏକାଠି ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦୁଇ ଦିନ ହେଲା ବିଜେପୁରରେ ପ୍ରଚାର କରୁଛନ୍ତି।

ଶୁକ୍ରବାର ଗାଇସିଲଟ୍‌ ଅଞ୍ଚଳରେ ନବୀନ ରୋଡ ସୋ’ କରି ରୀତା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି। ଦୁଇଦିନିଆ ବିଜେପୁର ଗସ୍ତରେ ଥିବା ନବୀନ ଗୁରୁବାର ବିଜେପୁର ବରପାଲି ବ୍ଲକରେ ପ୍ରଚାର କରିଥିଲେ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ।

ପ୍ରଚାର ମଇଦାନରେ କଂଗ୍ରେସ କିନ୍ତୁ ପଛରେ ପଡ଼ିଯାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର ଓ ସୁରେଶ ରାଉତରାୟ ପ୍ରମୁଖ ପ୍ରଚାର ପାଇଁ ବିଜେପୁର ଯାଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ଏକା ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

Comment