ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ଷ୍ଟାର୍ଟ ଅପ୍‌ ଓଡିଶା ଏବଂ ଆଇଟି ଲିଡରମାନଙ୍କୁ ନେଇ ଶୁକ୍ରବାର କଳାଭୂମିଠାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟ ଅପ୍‌ ସଂସ୍ଥା ବିଗ୍‌ ବାସ୍କେଟ ଏବଂ ପୋର୍ଟିଆର ପ୍ରତିଷ୍ଠାତା ଗଣେଶ କ୍ରୀଷ୍ଣନ ଓ ମୀନା ଗଣେଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଗଣେଶ କ୍ରୀଷ୍ଣନ ଏବଂ ମୀନା ଗଣେଶ ସେମାନଙ୍କର ବ୍ୟବସାୟ ଯାତ୍ରାର ଅନୁଭୂତି ବିଷୟରେ ଉପସ୍ଥିତ ଥିବା ଷ୍ଟାର୍ଟ୍‌ ଅପ୍‌ ଏବଂ ଆଇଟି ଲିଡରଙ୍କ ସହ ଆଲୋଚନା କରିଥିଲେ।

ଓଡିଶାର ଆତିଥ୍ୟତା, କଳା,ସଂସ୍କୃତି, ବ୍ୟବସାୟିକ ସହଯୋଗ ଏବଂ ଓଡିଶା ରାଜ୍ୟକୁ ଆଗକୁ ନେବା ପାଇଁ ଯେଉଁ ପ୍ରୟାସ କରାଯାଉଛି ସେଥିରେ ମୀନା ଗଣେଶ ଓଡିଶାକୁ ପ୍ରଶଂସା କରିଥିଲେ।

‘‘ଷ୍ଟାର୍ଟ ଅପ୍ ଆରମ୍ଭ କରିବା ପାଇଁ ଓଡିଶା ଏକ ପ୍ରକୃଷ୍ଟ ସ୍ଥାନ ଅଟେ। ଗ୍ରାହକ ମାନଙ୍କର ଆବଶ୍ୟକତାକୁ ପ୍ରାଧନ୍ୟତା ଦେବା ସହ ନିଯୁକ୍ତି ସୃଷ୍ଟି କରିବା ଓ ସମ୍ମୁଖ ହେଉଥିବା ସମସ୍ୟାକୁ ସୁଯୋଗରେ ପରିଣତ କରିବା ପାଇଁ ଚେଷ୍ଟିତ ହେବା ଆବଶ୍ୟକ‘‘ ଗଣେଶ କ୍ରିଷ୍ଣନ କହିଥିଲେ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହି ଆଲୋଚନା ଚକ୍ରକୁ ସଞ୍ଚାଳନ କରିଥିଲେ। ଆଲୋଚନା ମାଧ୍ୟମରେ ବାଗ୍‌ଚୀ ଗଣେଶ କ୍ରିଷ୍ଣନ ଓ ମୀନା ଗଣେଶଙ୍କୁ ସେମାନଙ୍କ ବ୍ୟବସାୟିକ ଜୀବନ ଯାତ୍ରା ସମ୍ପର୍କରେ ପଚାରିଥିଲେ। ବାଗ୍‌ଚୀଙ୍କ ପ୍ରଶ୍ନରେ ଉଭୟ ଉତ୍ତର ରଖିବା ସହ ଷ୍ଟାର୍ଟଅପ୍‌ ବ୍ୟବସାୟୀମାନଙ୍କଚ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଷ୍ଟାର୍ଟଅପ୍‌ ଭାବେ ବ୍ୟବସାୟ ଆରମ୍ଭ କରିଥିବା ଅନେକ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶାରେ ଷ୍ଟାର୍ଟଅପ୍‌ମାନଙ୍କ କ୍ଷେତ୍ରରେ ଏହା ଏକ ପ୍ରେରଣଦାୟୀ ଆଲୋଚନା ଚକ୍ର ଥିଲା।

‘‘ବ୍ୟବସାୟରେ ହେଉଥିବା ଲାଭ ଏକ ସାମାଜିକ ଦାୟିତ୍ୱବୋଧ ଅଟେ ଏବଂ ଆରମ୍ଭ କରିଥିବା ବ୍ୟବସାୟରେ ପରାଜୟକୁ ଭୟ କରିବା ଉଚିତ୍‌ ନୁହେଁ’’, ଷ୍ଟାର୍ଟଅପ୍‌ମାନଙ୍କୁ ସୁବ୍ରତ ବାଗ୍‌ଚୀ ପରାମର୍ଶ ଦେଇଥିଲେ।

ନିକଟରେ ବାଗ୍‌ଚୀ ବିଭିନ୍ନ ଉଦ୍ୟୋଗ ସଂସ୍ଥାକୁ ଓଡିଶା ଆମନ୍ତ୍ରଣ କରିବା ନେଇ ବେଙ୍ଗାଲୁରୁ ଗସ୍ତ କରିଥିଲେ। ଓଡିଶାରେ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶରେ ସହାୟତା କରି ସେମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ନିମନ୍ତେ ବିଭିନ୍ନ ଉଦ୍ୟୋଗ ସଂସ୍ଥା ସହ ଆଲୋଚନା କରିଥିଲେ।

ସେହି ଗସ୍ତର ଫଳ ସ୍ୱରୂପ ବିଗ୍‌ ବାସ୍କେଟ ଏବଂ ପୋର୍ଟିଆର ପ୍ରତିଷ୍ଠାତା ଓଡିଶା ଗସ୍ତ କରିଛନ୍ତି।

ବିଗ୍‌ ବାସ୍କେଟ୍‌ ଭାରତର ଏକ ପ୍ରମୁଖ ଅନଲାଇନ୍‌ ଗ୍ରୋସେରୀ ସଂସ୍ଥା ଅଟେ। ବର୍ତ୍ତମାନ ବିଗ୍‌ ବାସ୍କେଟ ଭାରତର ୨୫ଟି ପ୍ରମୁଖ ସହରରେ ସେବା ପ୍ରଦାନ କରୁଛି। ସେହିପରି ପୋର୍ଟିଆ ଭାରତର ୨୧ଟି  ସହରରେ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। “ହୋମ୍‌ କେଆର୍‌” ସେବା ପ୍ରଦାନ କରିବାରେ ପୋର୍ଟିଆ ଭାରତର ସର୍ବ ବୃହତ୍ତମ ସଂସ୍ଥା ଭାବରେ ଜଣାଶୁଣା। ଏହି ସଂସ୍ଥାରେ ବର୍ତ୍ତମାନ ଚାରି ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଓଡିଆ ଯୁବକଯୁବତୀ ଅଟନ୍ତି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ସଚିବ, ହେମନ୍ତ ଶର୍ମା ରାଜ୍ୟ ସରକାରଙ୍କ ଦ୍ୱାରା ଷ୍ଟାର୍ଟ ଅପ୍‌ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ଉଦ୍ୟୋଗ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଦକ୍ଷତାର ବିକାଶ, ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷ ଯୁବଗୋଷ୍ଠୀଙ୍କର ଆବଶ୍ୟକତା ରହିଛି ବୋଲି  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂ କହିଥିଲେ।

ଦକ୍ଷତା ବିକାଶ ନିମନ୍ତେ ମୁମ୍ବାଇସ୍ଥିତ ସେମାରୁ ଚଳଚ୍ଚିତ୍ର ସଂସ୍ଥା ଭୁବନେଶ୍ୱରଠାରେ ଏକ  ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛି ବୋଲି ଏହି ଅବସରରେ ସିଂ ସୂଚନା ଦେଇଥିଲେ। ସେହିପରି ଟେକ୍‌ ମହିନ୍ଦ୍ରା  ସି ଇ ଟି କଲେଜ୍‌ଠାରେ “କ୍ରିଟିକାଲ ମେସିନ ଲଣ୍ଣିଂଙ୍ଗ” ପାଠ୍ୟକ୍ରମ ନିମନ୍ତେ  ସେଣ୍ଟର ଅଫ୍‌ ଏକ୍ସଲେନ୍ସ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ ନାୟକ ଓ ଶିଳ୍ପ ବିଭାଗ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Comment