ଅନୁଜ ଦାସ

ନିଜେ ଜିତିଲେ, ଏବେ ବୁଲି ବୁଲି ପ୍ରଚାର କରୁଛନ୍ତି ‘ଟିବି ହାରିବ, ଦେଶ ଜିତିବ’।

ସମୟ ବଦଳିଛି। ହେଲେ ଏବେ ବି ଯକ୍ଷ୍ମାକୁ ନେଇ ଲୋକଙ୍କ ମନରେ ଭୟ ରହିଛି। କେଉଁଠି ରୋଗୀ ଗାଁରୁ ବାସନ୍ଦ ହେଉଛି ତ ଆଉ କେଉଁଠି ଅଲୋଡା ପାଲଟି ଯାଉଛି। ସରକାରୀ ସ୍ତରରେ ସଚେତନ କରାଗଲେ ବି ଏବେ ବି ଏହାକୁ ମହାମାରି ଭାବି ନେଇଛନ୍ତି ଅନେକେ। କିନ୍ତୁ ଏହାରି ବିରୋଧରେ ଲଢେଇ ଜାରି ରଖିଛନ୍ତି ଅନେକ ଯୋଦ୍ଧା। ଏଭଳି କିଛି ଯୋଦ୍ଧାଙ୍କ କାହାଣୀ ଦେଉଛି ବଞ୍ଚିବାର ଆଶା।

ବି ଚିନ୍ମୟୀ

ଘୁଙ୍ଗୁରର ଛମ ଛମ ଶବ୍ଦରେ ତା’ ପାଦ ଯେମିତି ଆପେ ଆପେ ନାଚି ଉଠେ। ଆଉ ହୃଦୟର ସ୍ପନ୍ଦନ କହେ ଶାସ୍ତ୍ରୀୟ ସଙ୍ଗୀତର ସ୍ୱର। ମଞ୍ଚ ଦେଖିଲେ ନୃତ୍ୟ ପରିବେଷଣ କରିବାକୁ ବିଚଳିତ ହୁଏ ତା’ ମନ। ମାତ୍ର ୨୪ ବର୍ଷ ବୟସର ବ୍ରହ୍ମପୁରର ଚିନ୍ମୟୀ ଓଡ଼ିଶୀ, ଭରତନାଟ୍ୟମ ଓ କୁଚିପୁଡିରେ ବେଶ ପାରଙ୍ଗମ ହୋଇ ଯାଇଥିଲେ। ସବୁଥର ଭଳି ସେଦିନ ବି ଆନ୍ଧ୍ରପ୍ରଦେଶର ଗୋଟିଏ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ ଚିନ୍ମୟୀ। ସବୁ ଠିକଠାକ ଚାଲିଥିଲା, କିନ୍ତୁ ଘରକୁ ଫେରିଲା ପରେ ହଠାତ ଅସୁସ୍ଥ ହୋଇପଡିଲେ ଚିନ୍ମୟୀ।

ଦିନ ପରେ ଦିନ ବିତି ଚାଲିଲା। କିନ୍ତୁ ଜ୍ୱରରେ ପଡିଗଲେ ଚିନ୍ମୟୀ। ବ୍ରହ୍ମପୁର ଡାକ୍ତରଖାନାରେ ଏକ ସପ୍ତାହ ଭର୍ତ୍ତି ହେଲେ, କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିଲାନି। ସପ୍ତାହ ପରେ ଭୁବନେଶ୍ୱରସ୍ଥିତ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଲେ। ଧିରେ ଧିରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଲା। ବାମ ଗୋଡ ଓ ବାମ ହାତ ଅକାମି ହୋଇଗଲା। ସବୁ ପରୀକ୍ଷା ପରେ ଜଣାପଡ଼ିଲା ଯେ ଚିନ୍ମୟୀ ମସ୍ତିଷ୍କ ଯକ୍ଷ୍ମାରେ ଆକ୍ରାନ୍ତ। କିଛି ସମୟ ପାଇଁ ସବୁକିଛି ଅନ୍ଧାର ଦିଶିଲା।

ଚିନ୍ମୟୀଙ୍କ ପାଦ ତଳୁ ମାଟି ଖସିଯିବା ଭଳି ମନେହେଲା। ସତେ ଯେମିତି ଏଇଠି ହିଁ ସରିଯିବ ଜୀବନ! ମୃତ୍ୟୁ ଓ ଜୀବନ ଭିତରେ କେବଳ ଯନ୍ତ୍ରଣା ହିଁ ଥିଲା। ଯକ୍ଷ୍ମା କବଳରୁ ମୁକ୍ତି ପାଇବା ପାଇଁ ୧୮ ମାସ ଔଷଧ ଖାଇଲେ। ଶଯ୍ୟାଶାୟୀ ହୋଇ ଜୀବନ ଓ ମୃତ୍ୟୁ ସହ କରୁଥିଲେ ଲଢ଼େଇ। ପ୍ରତିକୂଳ ପରିସ୍ଥିତିରେ ଟିବି ଯନ୍ତ୍ରଣା ସହ ବଞ୍ଚୁଥିବା ଚିନ୍ମୟୀଙ୍କ ଜୀବନରେ ଆସିଲା ଆଶାର କିରଣ।

ଭାରତରୁ ଟିବିକୁ ମୁକ୍ତ କରିବା ପାଇଁ କାମ କରୁଥିବା ‘ରିଚ୍‌’ ଅନୁଷ୍ଠାନ ସହ ଚିନ୍ମୟୀଙ୍କ ସଂପର୍କ ଯୋଡିହେଲା। ନିଜ ଅଞ୍ଚଳରେ ଯକ୍ଷ୍ମା ନିରାକରଣ ପାଇଁ କାମ କରିବାର ସୁଯୋଗ ପାଇଲେ। ଚାଲିବା ମୁସ୍କିଲ ଥିଲା, ତଥାପି ଯକ୍ଷ୍ମା ରୋଗୀଙ୍କ ସାହାରା ହେବା ପାଇଁ ଆଗେଇ ଚାଲିଲେ ଏହି ରାସ୍ତାରେ। ଗାଁ ଗାଁ ବୁଲି ଟିବି ସଚେତନତା କରିବାରେ ସମୟ ବିତାଉଛନ୍ତି ଚିନ୍ମୟୀ। ୬ ମାସ ମଧ୍ୟରେ ୭୫ ଟିବି ରୋଗୀଙ୍କୁ ଭେଟି ବଞ୍ଚିବାର ମନ୍ତ୍ର ଦେଇସାରିଛନ୍ତି। ସହରରୁ ଗାଁ ଯାଏଁ ଟିବି ମୁକ୍ତିର ଶୋଭାଯାତ୍ରା କରିବା ସହ ଶିକ୍ଷାନୁଷ୍ଠାନରେ ଚଲାଇଛନ୍ତି ସଚେତନତା କାର୍ଯ୍ୟକ୍ରମ।

ଆଉ ଏହି ଯାତ୍ରାରେ ତାଙ୍କୁ ସାହସ ଯୋଗାଇ ଚାଲିଛନ୍ତି ତାଙ୍କ ବାପା। ବାପାଙ୍କ ସମେତ ଅନ୍ୟ ସଂପର୍କୀୟ ବି ସଙ୍ଗୀତ ସହ ଜଡ଼ିତ। ସଙ୍ଗୀତର ଭାବ ଓ ଆବେଗକୁ ବୁଝିଛନ୍ତି ପରିବାର ଲୋକେ। ମଞ୍ଚରେ ନୃତ୍ୟ ପରିବେଷଣ କରି ନିଜେ ଆନନ୍ଦ ପାଇବା ସହ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ପ୍ରଚାର ପ୍ରସାର କରୁଥିଲେ ଚିନ୍ମୟୀ। କିନ୍ତୁ ଏବେ ସାଥ୍‌ ଦେଉନାହିଁ ଶରୀର। ଏହି ଅବସ୍ଥା ସହି ନପାରି ଆଖିରୁ ଆପେ ଆପେ ଝରିପଡ଼େ ଲୁହ। କିନ୍ତୁ ଅନ୍ୟଙ୍କ ଚେହରାରେ ହସ ଫୁଟାଇବା ପାଇଁ ନିଜକୁ ସମର୍ପି ଦେଇଛନ୍ତି ଚିନ୍ମୟୀ। ଆଗଭଳି ପୁଣି ମଞ୍ଚରେ ନୃତ୍ୟ ପରିବେଷଣର ସମୟକୁ ଚାହିଁ ବସିଛନ୍ତି। ପାଦରେ ଘୁଙ୍ଗୁର ଲଗାଇ ନାଚିବାକୁ ବିଚଳିତ ହେଲେଣି ଚିନ୍ମୟୀ। ତେବେ ଜୀବନ ଶେଷ ନିଶ୍ୱାସ ଚାଲୁଥିବା ଯାଏଁ ଟିବି ରୋଗୀଙ୍କ ପାଇଁ କାମ କରିବାର ସଂକଳ୍ପ ନେଇଛନ୍ତି ଚିନ୍ମୟୀ।

ଶେଖ୍‌ ସୈକ ଅଲ୍ଲୀ

ଯକ୍ଷ୍ମା ହେଲେ ସାଧାରଣ ଲୋକଙ୍କ ମନରେ ଭୟ ଜାତ ହୋଇଯାଏ। ଆମେ ଯେତେ ଉନ୍ନତ ହେଲେ ବି ଏବେବି ଅନେକାଂଶରେ ଯକ୍ଷ୍ମା ବା ଟିବିକୁ ନେଇ ଛୁଆଁ ଅଛୁଆଁ ଭଳି ଭେଦଭାବ ରହିଛି। କେତେବେଳେ ସମାଜ ବାସନ୍ଦ କରିଦେଉଛି ତ ଆଉ କେତେବେଳେ ପରିବାର ବା ସମ୍ପର୍କୀୟ ସବୁ ସମ୍ପର୍କ ତୁଟାଇ ଦେଉଛନ୍ତି। ଏହାରି ବିରୋଧରେ ଲଢେଇ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଗତସିଂହପୁରର ଶେଖ ସୈକ ଅଲ୍ଲୀ। ପ୍ରଥମେ ମଦ୍ରାସାରୁ ଆରମ୍ଭ ହେଲା ସୈକ ଅଲ୍ଲୀଙ୍କ ଯାତ୍ରା। ସେ ଭଲ ଭାବେ ବୁଝିଛନ୍ତି ଯଦି ଲୋକଙ୍କୁ ଧାର୍ମିକ ଅନଷ୍ଠାନ ଜରିଆରେ ବୁଝାଯାଏ ତେବେ ଲୋକେ ସବୁ କଥାକୁ ବିଶ୍ୱାସ କରିବା ସହ ଗ୍ରହଣ ବି କରିବେ।

ଘରୋଇ ବିଦ୍ୟାଳୟରେ ପାଠ ପଢାଇବା ସହ କୋଚିଂ ସେଣ୍ଟରରେ ପାଠ ପଢାଉଛନ୍ତି ସୈକ ଅଲ୍ଲୀ। ଟିକେ ଫୁରସତ ପାଇଗଲେ କେତେବେଳେ କଲେଜ ତ ଆଉ କେତେବେଳେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଭେଟି ଯକ୍ଷ୍ମା ସଂପର୍କରେ ସଚେତନତା କରୁଛନ୍ତି। କେବଳ ଏତିକି ନୁହଁ, କ୍ଷକ୍ଷ୍ମାରେ ଆକ୍ରାନ୍ତ ଥିବା ଲୋକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି।

ଅଙ୍ଗନଓ୍ଵାଡି ଦିଦିଙ୍କଠାରୁ ଔଷଧ ଆଣି ନିଜେ ଦାୟିତ୍ୱ ନେଇ ନିୟମିତ ରୋଗୀଙ୍କୁ ଖୁଆଉଛନ୍ତି ଔଷଧ। ସରକାରୀ ଆର୍ଥିକ ସହାୟତା ସଂପର୍କରେ ଅନେକ ଅବଗତ ନଥିବାବେଳେ ଏନେଇ ଲୋକଙ୍କୁ ଜଣାଇବାର ଦାୟିତ୍ୱ ବି ନେଇଛନ୍ତି ସୈକ ଅଲ୍ଲୀ। ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି ସେ। ସେଥିପାଇଁ ତ ସେ ଜାଣିଛନ୍ତି ଯକ୍ଷ୍ମାର ଯନ୍ତ୍ରଣା।

ଜଗସିଂହପୁର ଜିଲ୍ଲାର ଶେଖ ସୈକ ଅଲ୍ଲୀ ମୁମ୍ବାଇରେ ଏକ ପ୍ରାଇଭେଟ କମ୍ପାନିରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ହଠାତ ୨୦୧୪ରେ ଅସୁସ୍ଥ ହୋଇପଡିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଲା ଯେ ସେ ଫୁସଫୁସ ଯକ୍ଷ୍ମାରେ ଆକ୍ରାନ୍ତ। ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ଖାଇଲେ। କିଛି ଦିନ ପରେ ମୁମ୍ବାଇରୁ ବଦଳି ହୋଇ ହାଇଦ୍ରାବାଦ ଆସିଲେ। ଔଷଧ ଖାଇବାରେ ବ୍ୟତିକ୍ରମ ହେଲା। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲା। ଶେଷରେ ଓଡିଶା ଫେରିଲେ।

ସୈକଙ୍କର ଅବସ୍ଥା ଦେଖି ଡାକ୍ତର ବି ହାତ ଟେକିଦେଲେ। ବଞ୍ଚିବାକୁ ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ଡାକ୍ତର କହିଲେ। ଯଦି ଟଙ୍କା ଖର୍ଚ୍ଚ ନକଲ ତେବେ ମରିଯିବ ବୋଲି ଡାକ୍ତର କହିଲେ। ଏହି କଥା ଶୁଣି ଚିନ୍ତାରେ ପଡିଯାଇଥିଲେ। କିନ୍ତୁ ବିଳମ୍ବରେ ହେଉ ପଛେ ଭଲ ଡାକ୍ତରଙ୍କ ପରାମର୍ଶ ପାଇବା ପରେ ଚିକିତ୍ସିତ ହେଲେ। ଦେଢ ବର୍ଷ ଚାଲିଲା ଚିକିତ୍ସା। ଆଉ ଏଭଳି ସମୟରେ ସବୁ ପରିସ୍ଥିତିକୁ ଖୁସି ଖୁସି ସହ ବିତାଇବା ପାଇଁ ସାହସ ଯୋଗାଇଲେ ତାଙ୍କ ସ୍ତ୍ରୀ।

ସୁସ୍ଥ ହେଲା ପରେ ଯକ୍ଷ୍ମା ରୋଗୀଙ୍କ ସେବାରେ ଲାଗିପଡିଛନ୍ତି ସୈକ। ଜୀବନ ଓ ମୃତ୍ୟୁର ଯୁଦ୍ଧରେ ଏଦୁହେଁ ଝୁଣ୍ଟିଛନ୍ତି ସତ କିନ୍ତୁ ହାରି ନାହାନ୍ତି। ପ୍ରତିକୂଳ ପରିସ୍ଥିତିରେ ବି ଯୋଦ୍ଧା ହୋଇ ମୃତ୍ୟୁକୁ ପରାସ୍ତ କରିଛନ୍ତି। ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ସଂକଳ୍ପ ନେଇଛନ୍ତି ଏହି ଯୋଦ୍ଧା।

Comment