ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଲୋକକଳା ମହୋତ୍ସବ ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ବଡ଼ ଘୋଷଣା।

  • କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ‘ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି’
  • ରାଜ୍ୟ ସ୍ତରରେ ହେବ ପ୍ରତିଯୋଗିତା
  • ଶ୍ରେଷ୍ଠ ୫ଟି ଦଳକୁ ମିଳିବ ପୁରସ୍କାର
  • ଜୁନ୍‌ ୧୪ ଲୋକକଳା ଦିବସକୁ ଅନ୍ତର୍ଜାତୀୟ ମାନ୍ୟତା ପାଇଁ ଉଦ୍ୟମ

‘‘ଓଡ଼ିଶାର ଲୋକକଳାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ବିଗତ ଦିନରେ ଅନେକ ପଦକ୍ଷେପ ନେଇଛନ୍ତି। କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସବୁବେଳେ ଉଦ୍ୟମ କରି ଆସୁଛନ୍ତି। ଏ ଦିଗରେ ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି। କଳାକାରମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି’ ଆୟୋଜନ କରାଯିବ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳରେ ଚାଲିଥିବା ଚତୁର୍ଥ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ଲୋକକଳାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

‘‘ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି ରାଜ୍ୟ ସ୍ତରରେ ଭୁବନେଶ୍ୱରରେ ଆୟୋଜନ କରାଯିବ। ପ୍ରତ୍ୟେକ ଜିଲ୍ଲାରୁ ବଛା ବଛା ଦଳକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ପଠାଯିବ। ଏହି ପ୍ରତିଯୋଗିତାରେ ୫ଟି ଶ୍ରେଷ୍ଠ ଦଳକୁ ଚୟନ କରାଯାଇ ପୁରସ୍କୃତ କରାଯିବ’’, କହିଥିଲେ ଶ୍ରୀ ପାଣିଗ୍ରାହୀ।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ରେ ଓଡ଼ିଶା ଲୋକକଳା ସଂଘ ଶୁଭାରମ୍ଭ କରିଥିଲେ। ଲୋକ କଳାକୁ ଅଧିକ ସମୃଦ୍ଧ କରିବା ପାଇଁ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ୨୦୧୯ ଜୁନ୍‌ ୧୪ରେ ଲୋକ କଳା ଦିବସ ପାଳନ କରାଯାଇଥିଲା।  ରାଜ୍ୟ ସ୍ତରରେ ଉତ୍ସବ ଆୟୋଜନ କରାଯାଇଥିଲା। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଲୋକ କଳା ଦିବସ କିପରି ପାଳନ କରାଯିବ ଏବଂ ବିଦେଶରେ ରହୁଥିବା ଓଡ଼ିଆମାନେ କିପରି ଏହି ଦିବସକୁ ପାଳନ କରିବେ ସେଦିଗରେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ସାରା ବିଶ୍ୱରେ ଜୁନ୍‌ ୧୪କୁ ଲୋକ କଳା ଦିବସର ମାନ୍ୟତା ଦେବା ପାଇଁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି’’, କହିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଢେଙ୍କାନାଳ ଜିଲ୍ଲା ଚତୁର୍ଥ ଲୋକକଳା ମହୋତ୍ସବ ଅକ୍ଟୋବର ୧୭ରୁ ଆରମ୍ଭ ହୋଇଥିଲା। ଏହାକୁ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ତିନି ଦିନ ଧରି ଚାଲିଥିଲା ଏହି ମହୋତ୍ସବ।

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଡକ୍ୟୁମେଣ୍ଟସନ କରିବା ପାଇଁ ଢେଙ୍କାନାଳର ଜନସାଧାରଣ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରିଥିଲେ। ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଅଧିକ ଗବେଷଣା କରି ଖୁବ୍‌ଶୀଘ୍ର ଡକୁମେଣ୍ଟସନ କରାଯିବ ବୋଲି ସଚିବ ଶ୍ରୀ ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ପି ଅନୁପମା ଜେମ୍ସ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଷୋୟୀ ଯୋଗ ଦେଇଥିଲେ।

ଢେଙ୍କାନାଳ ଜିଲ୍ଲା ଲୋକ କଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Comment