ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୧୮ରେ ପ୍ରତିବର୍ଷ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ।

ସାରା ବିଶ୍ଵରେ ମେ’ ୧୮ ତାରିଖରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଏ। ପୁରୁଣା ଯୁଗର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନ ସଭ୍ୟତା ପାଖରେ ପହଞ୍ଚାଇଥାଏ ସଂଗ୍ରହାଳୟ। ଏହା ଅନେକ ଐତିହାସିକ ସାମଗ୍ରୀ ଓ ଦସ୍ତାବିଜ୍‌କୁ ବର୍ଷ ବର୍ଷ ଧରି ସାଇତି ରଖେ। ତେଣୁ ‘ସଂଗ୍ରହାଳୟ’କୁ ଇତିହାସର ମୂକ ସାକ୍ଷୀ ବୋଲି କୁହାଯାଏ। ସଂଗ୍ରହାଳୟରୁ ଅନେକ ଜଣାଅଜଣା କଥା ଦେଖିବାକୁ ମିଳିଥାଏ।

ପ୍ରତିବର୍ଷ ସଂଗ୍ରହାଳୟର ବହୁବିଧ ଯୋଜନାକୁ ଆଖି ଆଗରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ। ସେହି ବିଷୟ ବସ୍ତୁକୁ ଇଣ୍ଟରନ୍ୟାସନାଲ କାଉନସିଲ ଅଫ ମ୍ୟୁଜିଅମ୍‌ ସ୍ଥିର କରେ। ସେହି ବିଷୟକୁ ଭିତ୍ତି କରି ବିଶ୍ଵରେ ଥିବା ଅଗ୍ରଣୀ ସଂଗ୍ରହାଳୟଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖନ୍ତି।

ଚଳିତ ବର୍ଷର ବିଷୟ ବସ୍ତୁ ହେଉଛି ‘ସମାନତା, ବିବିଧତା ଏବଂ ଅନ୍ତର୍ଭୁକ୍ତି କରଣରେ ସଂଗ୍ରହାଳୟର ଭୂମିକା’। ହେଲେ ଏଥର କରୋନା ଭଳି ସଙ୍କଟମୟ ପରିସ୍ଥିତିରେ ପାଇଁ ଏହି କାର୍ୟ୍ୟକ୍ରମ ହୋଇପାରିନାହିଁ।

ସଂଗ୍ରହାଳୟ ଦିବସ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, “ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ। ମେ’ ୧୮ରେ ସାରା ବିଶ୍ଵ ସଂଗ୍ରହାଳୟ ଦିବସ ପାଳନ କରୁଛି। କୋଭିଡ ମୁକାବିଲା ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାର ଏକ ନମୁନା ଆମେ ସଂଗ୍ରହାଳୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ପାଇଛୁ। ସେଥିପାଇଁ ଆମେ ଭୁବନେଶ୍ଵରସ୍ଥିତ ରାଜ୍ୟ ସଂଗ୍ରହାଳୟକୁ ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଉଛୁ।”

ସେହିପରି ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦ ଜଣାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, “ମ୍ୟୁଜିଅମ୍‌ ହେଉଛି ଗୋଟିଏ ଜାତିର ଇତିହାସ ଏବଂ ସଂସ୍କୃତିର ପ୍ରତିଫଳନ। ଗୋଟେ ରାଜ୍ୟ ବା ଦେଶକୁ ଗଲେ, ସେ ରାଜ୍ୟ କେତେ ସଂସ୍କୃତି ସମ୍ପନ୍ନ ଓ ତାହାର ଇତିହାସ ବିଷୟରେ ସଂଗ୍ରହାଳୟରୁ ହିଁ ଜଣାପଡ଼େ। ସେଥିପାଇଁ ପ୍ରତ୍ୟେକ ଦେଶରେ ସଂଗ୍ରହାଳୟକୁ ନେଇ ଗର୍ବ କରାଯାଏ।”

ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ କହିଛନ୍ତି ଯେ ସଂଗ୍ରହାଳୟ ଓ ଅଭିଲେଖାଗାର ଗୋଟିଏ ଜାତିର ଏକ ଅମୂଲ୍ୟ ସମ୍ପଦ। ଗୋଟିଏ ଜାତି ପାଇଁ ସବୁଠାରୁ ମୂଲ୍ୟବାନ ହେଉଛି ତା’ର ସାମୂହିକ ସ୍ମୃତି। ସ୍ମୃତି ନଥିଲେ ସେ ଜାତିର କୌଣସି ଅସ୍ତିତ୍ଵ ନଥାଏ। ସେହି ସ୍ମୃତିକୁ ସଂଗ୍ରହଳାୟରେ ସାଇତି ରଖାଯାଏ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଇତିହାସ ବିଷୟରେ ଅନେକ ପୁସ୍ତକ ମଧ୍ୟ ଲେଖା ହୋଇଛି। ହେଲେ ଆଧୁନିକ ଯୁଗରେ ଲୋକଙ୍କ ପାଖରେ ସମୟର ଏତେ ଅଭାବ ଯେ ସେମାନେ ପଢ଼ିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତେଣୁ ସଂଗ୍ରହାଳୟରେ ଚିତ୍ର ମାଧ୍ୟମରେ ଏହି ସବୁ ଦେଖାଯାଏ, ଯାହା ମାଧ୍ୟମରେ ଛାତ୍ରଛାତ୍ରୀମାନେ କମ ସମୟ ମଧ୍ୟରେ ସବୁ ବୁଝି ପାରନ୍ତି।

ପ୍ରତିବର୍ଷ ଏହି ଦିବସକୁ ଭୁବନେଶ୍ଵରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ପାଳନ କରାଯାଏ। ହେଲେ ଚଳିତ ବର୍ଷ କରୋନା ଯୋଗୁଁ ଏହା ପାଳନ କରାଯାଇ ନାହିଁ। କିନ୍ତୁ ସଂଗ୍ରହାଳୟର ବାର୍ତ୍ତା ଓ ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ଲକ୍ଷ୍ୟ ବୋଲି କହିଛନ୍ତି ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ବିପିନ ବିହାରୀ ପାତ୍ର।

ସଂଗ୍ରହାଳୟ ଗୋଟିଏ ଜାତିର ଦର୍ପଣ ସଦୃଶ। ନିଜ ଜାତିର ଐତିହ୍ୟ, ସଂସ୍କୃତିର ଇତାହିସ ବିଷୟରେ ଏହିଥିରୁ ହିଁ ଜଣାପଡିଥାଏ।

Comment