ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧର ଶବର ଶବରୁଣୀ ନୃତ୍ୟ ଓ ଗଞ୍ଜାମର ଦାସକାଠିଆରେ ଜମିଲା ଏ ମାସର ‘ଆମ ଲୋକକଳା – ଆମ ସଂସ୍କୃତି’ କାର୍ଯ୍ୟକ୍ରମ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ମଙ୍ଗଳବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୌଦ୍ଧ ଜିଲ୍ଲାର ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ଶବର ଶବରୁଣୀ ନୃତ୍ୟ ପରିବେଷଣ କରାଯାଇଥିଲା।

ସେହିପରି ଗଞ୍ଜାମରୁ ଆସିଥିବା ସୁରେନ୍ଦ୍ରନାଥ ଦାସବର୍ମା ଏବଂ ସାଥୀ ଦାସକାଠିଆ ପରିବେଷଣ କରିଥିଲେ।

ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରତି ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଓଡ଼ିଆ ଲୋକକଳାକାରମାନଙ୍କୁ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ।

ମଙ୍ଗଳବାର ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ବୌଦ୍ଧ ଜିଲ୍ଲାରୁ ଆସିଥିବା କଳାକାରମାନେ ପ୍ରସିଦ୍ଧ ଶବର ଶବରୁଣୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ପ୍ରସିଦ୍ଧ ଲୋକକଳା ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ।

କଳାକାରମାନେ ମୟୂର ପୁଛ ଲଗାଇ ନୃତ୍ୟ ପରିବେଷଣ କରିଥିଲେ। ମୟୂର ଆମ ଜାତୀୟ ପକ୍ଷୀ। ଏହାର ସୁରକ୍ଷା ପାଇଁ କଳାକାରମାନେ ବାର୍ତ୍ତା ଦେଉଛନ୍ତି।

ପରେ ମଞ୍ଚକୁ ଆସିଥିଲେ ଗଞ୍ଜାମରୁ ଆସିଥିବା ସୁରେନ୍ଦ୍ରନାଥ ଦାସବର୍ମା ଏବଂ ସାଥୀ। ସେମାନେ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଦାସକାଠିଆ ପରିବେଷଣ କରିଥିଲେ। ଉର୍ବଶୀଙ୍କର ଅଭିଶାପଠାରୁ ଆରମ୍ଭ କରି ଦଣ୍ଡି ରାଜାର ମୁକ୍ତି ଏବଂ ମହାଭାରତଙ୍କ ଯୁଦ୍ଧ ସମ୍ପର୍କରେ ସେମାନେ ଦାସକାଠିଆ ମାଧ୍ୟମରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଦାସକାଠିଆ ପରିବେଷଣ ହୋଇଥିଲା। ଦର୍ଶକମାନେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ଏହି ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ବାସୁଦେବ ମାଳବିଶୋୟୀ, ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ର ଶତପଥୀ ଏବଂ ବିଭାଗୀୟ ଅଧିକାରୀ ଲିପ୍ସା ଦାସ ଯୋଗ ଦେଇଥିଲେ।

Comment