ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ ଅଭିଲେଖାଗାରରେ ‘ଅଭିଲେଖ ସପ୍ତାହ’ ପାଳନ ଉତ୍ସବ ଉଦଘାଟିତ
  • ଉତ୍ସବରେ ପ୍ରଦର୍ଶିତ ହେଲା ୭୫ଟି ପୁରୁଣା ଓଡ଼ିଆ ଫିଲ୍ମ ପତ୍ରିକା
  • ପ୍ରଦର୍ଶନୀକୁ ଉଦଘାଟନ କଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ
  • ‘ପଞ୍ଚସଖା ଓ ସାମାଜିକ ପ୍ରତିବାଦ’ ବିଷୟକୁ ନେଇ ଆଲୋଚନା

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବଖାଣୁଥିବା ୭୫ଟି ପୁରୁଣା ପତ୍ରିକାକୁ ନେଇ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ପତ୍ରିକା ପ୍ରଦର୍ଶନୀ। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫାଉଣ୍ଡେସନ ଓ ରାଜ୍ୟ ଅଭିଲେଖାଗାରର ମିଳିତ ଉଦ୍ୟମରେ ଏହି ପ୍ରଦର୍ଶନୀ ଆସନ୍ତା ସପ୍ତାହେବ୍ୟାପୀ ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀରେ ଲୋକମାନେ ଓଲିଉଡର ୮୪ ବର୍ଷର ପୁରୁଣା ଇତିହାସକୁ ପତ୍ରିକା ମାଧ୍ୟମରେ ଦେଖିପାରିବେ।“ଏହି ପତ୍ରିକା ପ୍ରଦର୍ଶନୀ ବୁଲିଲେ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ବିଷୟରେ ବହୁତ କିଛି ଜାଣିବାକୁ ମିଳିପାରିବ। ଓଡ଼ିଆ ଚଳଚ୍ଚିତ୍ରକୁ ଜୀବିତ ରଖିଥିବା ଏହି ପତ୍ରିକା ଆମକୁ ପୁଣିଥରେ ସେହି ପୁରୁଣା ଦିନକୁ ଟାଣିନେଉଛି”, ରାଜ୍ୟ ଅଭିଲେଖାଗାରରେ ଏହି ପ୍ରଦର୍ଶନୀକୁ ଉଦଘାଟିତ କରି ଏପରି କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।ଏହି ଅବସରରେ ରାଜ୍ୟ ଅଭିଲେଖାଗାରରେ ‘ପଞ୍ଚସଖା ଓ ସାମାଜିକ ପ୍ରତିବାଦ’ ବିଷୟକୁ ନେଇ ଏକ ଆଲୋଚନା ମଧ୍ୟ କରାଯାଇଥିଲା। ଏହି ଆଲୋଚନାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଯୋଗଦେଇ କହିଥିଲେ ଯେ, ପ୍ରତିବାଦରୁ ହିଁ ଓଡ଼ିଆ ଭାଷାର ସୃଷ୍ଟି ହୋଇଛି। ପ୍ରତିବାଦରୁ ହିଁ ସମାଜରେ ସଂସ୍କାରର ଆରମ୍ଭ ହୋଇଥାଏ। ଓଡ଼ିଆ ସାହିତ୍ୟର ପଞ୍ଚସଖାମାନେ ନିଜର ଲେଖା ମାଧ୍ୟମରେ ସମାଜରେ ଅନେକ ସଂସ୍କାର ଆଣିପାରିଥିଲେ ବୋଲି ସେ କହିଥିଲେ।

ଏଥିସହିତ ସେ ବଳରାମ ଦାସଙ୍କ ଓଡିଆ ଲକ୍ଷ୍ମୀପୁରାଣ, ବେଦାନ୍ତ ସାର ଗୁପ୍ତ କଥା ଆଦିର ଉଦାହରଣ ଦେଇ କିଭଳି ଏହି ଲେଖାରେ ସାମାଜିକ ସଂସ୍କାର ସବୁକୁ ସ୍ଥାନ ଦିଆଯାଇଛି ସେ ସମ୍ଭନ୍ଧରେ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଆଲୋଚନା କରିଥିଲେ। ପଞ୍ଚସଖାଙ୍କ ଦ୍ୱାରା ରଚନା କରାଯାଇଥିବା ଲେଖାଗୁଡ଼ିକ ଯୋଗୁଁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ସହଜ ହୋଇଥିଲା ବୋଲି ସେ କହିଥିଲେ।ଏହି ଆଲୋଚନାରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ଯୋଗଦେଇ କହିଥିଲେ, “ଆଜିର ସମାଜରେ ପ୍ରାୟତଃ ଦୁଇ ପ୍ରକାର ଭାଷା ଦେଖିବାକୁ ମିଳୁଛି। ଗୋଟିଏ ହେଲା ଇଂରାଜୀ ଭାଷା, ଯାହାକୁ ଅନେକ ସମ୍ଭ୍ରାନ୍ତ ଭାଷା ବୋଲି ମଧ୍ୟ କହୁଛନ୍ତି। ସେହିପରି ଅନ୍ୟଟି ହେଲା ସ୍ଥାନୀୟ ଭାଷା। ଆମ ଓଡ଼ିଆ ଭାଷା ହେଉଛି ଆମର ସ୍ଥାନୀୟ ଭାଷା ଏବଂ ଏହି ଓଡ଼ିଆ ଭାଷାକୁ ପଞ୍ଚସଖାମାନେ ହିଁ ସ୍ୱତନ୍ତ୍ର ପରିଚୟ ଦେଇପାରିଥିଲେ।”ଏହି କାର୍ଯ୍ୟକ୍ରମରେ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ସଂଯୋଜକ ସୂର୍ଯ୍ୟ ଦେଓ ଉପସ୍ଥିତ ରହି କହିଥିଲେ ଯେ ଓଡ଼ିଆ ଚଳଚ୍ଚିତ୍ର ସମ୍ବନ୍ଧରେ ପ୍ରାୟତଃ କୌଣସି ଗବେଷଣା ଦେଖିବାକୁ ମିଳିନଥାଏ। ଏପରି ପରିସ୍ଥିତିରେ କେତେକ ଜର୍ଣ୍ଣାଲିଷ୍ଟଙ୍କ ଲେଖା ହିଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବଞ୍ଚାଇ ରଖିପାରିଛି ବୋଲି ସେ କହିଥିଲେ। ଶେଷରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡକ୍ଟର ଶେଖ ସୋଲେମାନ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ଆଲୋଚନା ଶେଷ ହୋଇଥିଲା।

Comment