ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ଫାଇନାନ୍ସ କମ୍ପାନି କର୍ମଚାରିଠାରୁ ଲୁଟ୍ ଘଟଣାରେ ଜୟପୁର ସଦର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗତ ୧୧ ତାରିଖରେ ଜୟପୁର ନୂଆପୁଟଠାରେ ଏକ ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ବେହୋଶ କରି ଦୁର୍ବୃତ୍ତମାନେ ତାଙ୍କଠାରୁ ୬୫  ହଜାର ୮୧୦ ଟଙ୍କା ଲୁଟ୍ ନେଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ୧୭୮/୧୯ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ପୋଲିସ୍‌ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ଢେପଗୁଡ଼ାର ଅକ୍ଷୟ କୁମାର ସାଗର, ରୋହନ କୁଳଦୀପ, ଜୟପୁର ସଦର ଥାନା ଅନ୍ତର୍ଗତ ଘିଉରି ଗାଁର ରବି ହରିଜନ, ନବରଙ୍ଗପୁର ବିଜରାଗୁଡ଼ା ଗ୍ରାମର ଚନ୍ଦ୍ର ଶେଖର ହରିଜନ।

ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ୧୮ ହଜାର ଟଙ୍କା, ୪ଟି ମୋବାଇଲ ଫୋନ୍‌, ଟ୍ୟାବ୍‌, ବାୟୋମେଟ୍ରିକ ଡିଭାଇସ, କାଗଜ ପତ୍ର, ଏକ ବାଇକ ସହ ଆକ୍ରମଣ ହୋଇଥିବା ଲାଠିକୁ ଜବତ କରିଛି। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଯାଇଥିବା ଜୟପୁର ଥାନା ଅଧିକାରି ଶିବ ଶଙ୍କର ସାହୁ ସୂଚନା ଦେଇଛନ୍ତି।

Comment