ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ନେଇ ନୂଆ ସମ୍ଭାବନା
  • ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଖୁବ୍‌ଶୀଘ୍ର ଭେଞ୍ଚର କ୍ୟାପିଟାଲ ଫଣ୍ଡସ୍‌ ବ୍ୟବସ୍ଥା
  • ସି-ଫୁଡ୍‌ ପ୍ରୋସେସିଂ ପାଇଁ ପର୍ଯ୍ୟାପ୍ତ ସୁଯୋଗ
  • ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ଗୋ-ସ୍ୱିପ୍ଟ ପୋର୍ଟାଲ
  • ସରକାରୀ ଯୋଜନାର ସୁବିଧା ନେବାକୁ ଆହ୍ୱାନ ଦେଲେ ମନ୍ତ୍ରୀ

‘‘ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଓଡ଼ିଶା ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ତିନୋଟି ମେଗା ଫୁଡ ପାର୍କ ପ୍ରତିଷ୍ଠା ହୋଇ ସାରିଥିବା ବେଳେ ୨୦୨୦ ମସିହା ସୁଦ୍ଧା ଓଡ଼ିଶାରେ ଆଉ ୯ଟି ଫୁଡ ପାର୍କ ପ୍ରତିଷ୍ଠା ହେବ’’, କହିଛନ୍ତି ଶିଳ୍ପ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନୂଆ ସମ୍ଭାବନାକୁ ନେଇ ଏକ କର୍ମଶାଳା ଭୁବନେଶ୍ୱରରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଗ୍ରାମାଞ୍ଚଳ ଅର୍ଥନୀତିର ବିକାଶ ହେଲେ ସାମାଜିକ-ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି କହିଥିଲେ।

‘‘ବଡ଼ ବଡ଼ ଶିଳ୍ପ ଅପେକ୍ଷା ଛୋଟ ଛୋଟ ଶିଳ୍ପ ସାମଗ୍ରୀକ ବିକାଶରେ ସହାୟକ ହୋଇଥାଏ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାରେ ପ୍ରଚୁର ପରିମାଣର କଞ୍ଚା ମାଲ ଉପଲବ୍ଧ ରହିଛି। ଉଦ୍ୟୋଗପତିମାନେ ଏହାର ସୁବିନିଯୋଗ କରିବା ଦରକାର’’, କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଏହାସହ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ସୁବିଧାସୁଯୋଗ ଦେଉଛନ୍ତି। ଏହାର ସୁଯୋଗ ନେବାକୁ ଉଦ୍ୟୋଗପତିମାନଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।

ଏହି କର୍ମଶାଳାରେ ଯୋଗଦେଇ ଶିଳ୍ପ ଓ ଏମଏସଏମଇ ସଚିବ ହେମନ୍ତ ଶର୍ମା କହିଥିଲେ, ‘‘ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଉନ୍ନତ ଓ ଗୁଣବତ୍ତାଯୁକ୍ତ ନୂଆ ନୂଆ ଖାଦ୍ୟ ଖାଇବା ପାଇଁ ଅଧିକରୁ ଅଧିକ ଲୋକ ଆଗ୍ରହ ପ୍ରକାଶ କରୁଥିବାରୁ ଓଡ଼ିଶାରେ ମିଳୁଥିବା ପର୍ଯ୍ୟାପ୍ତ କଞ୍ଚାମାଲର ସୁବିନିଯୋଗ କରିବା ଦରକାର।’’

ସଚିବ ଶ୍ରୀ ଶର୍ମା ଆହୁରି କହିଥିଲେ ଯେ ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ବିକାଶ ପାଇଁ ସବୁ ପ୍ରକାର ସହାୟତା ଦେଉଛନ୍ତି। ଖୁବଶୀଘ୍ର ସରକାର ଏହି ଶିଳ୍ପର ବିକାଶ ପାଇଁ ଭେଞ୍ଚର କ୍ୟାପିଟାଲ ଫଣ୍ଡସ ଓ ପ୍ରାଇଭେଟ୍ ସେକ୍ଟର ଫଣ୍ତସ୍‌ ବ୍ୟବସ୍ଥା କରିବେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ ପର୍ଯ୍ୟାପ୍ତ କଞ୍ଚାମାଲ, ଭିତ୍ତିଭୂମୀ ସହଯୋଗ ଏବଂ ଆର୍ଥିକ ସହାୟତା ଏକାଠି ମିଶି କରି ଚାଲିଲେ ଏହି ଶିଳ୍ପ ବେଶ ଆଗକୁ ଯାଇ ପାରିବ।

ଏହି କର୍ମଶାଳାରେ ଇପିକଲ ନିର୍ଦ୍ଦେଶକ ଡକ୍ଟର ନିତିନ ଭାନୁଦାସ ଜୱାଲେ ଯୋଗ ଦେଇଥିଲେ।

ସେ କହିଥିଲେ, ‘‘ଓଡ଼ିଶାର ପାଣିପାଗ ଅନୁକୂଳ ଥିବା ବେଳେ ଏଠାରେ ପର୍ଯ୍ୟାପ୍ତ ପରିମାଣର ଜଳ ରହିଛି। ତେଣୁ ବିଭିନ୍ନ ଅଞ୍ଚଳରୁ ବାହାରୁ ଥିବା ପନିପରିବା, ଫଳ ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀର ସଦୁପୋଯୋଗ ପାଇଁ ଉଦ୍ୟୋଗପତିମାନେ ଆଗେଇ ଆସିବା ଉଚିତ।’’

ରାଜ୍ୟରେ ୧୦ଟି ଅଗ୍ରୋ କ୍ଲାଇମେଟିକ୍ ଜୋନ ଓ ୧୪ଟି ପୋଟେନ୍‌ସିଆଲ ଆଗ୍ରୋ ଏଣ୍ଡ ଫୁଡ୍ ପ୍ରୋସେସିଂ କ୍ଲଷ୍ଟର ରହିଛି। ଏଥି ସହିତ ସି ଫୁଡ କ୍ଷେତ୍ରରେ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶାରେ ଥିବା ୪୮୦ କିଲୋମିଟର ପରିବ୍ୟାପ୍ତ ସମୁଦ୍ର ଉପକୂଳ, ସି ଫୁଡ ପ୍ରୋସେସିଂ ପ୍ଲାଣ୍ଟ, ଫିସ୍‌ ଲାଣ୍ଡିଙ୍ଗ ସେଣ୍ଟର, ଆଇସ୍‌ ପ୍ଲାଣ୍ଟ, କୋଳ୍ଡ ଷ୍ଟୋରେଜ ପାଇଁ ବିଶେଷ ସୁଯୋଗ ରହିଛି।

ରାଜ୍ୟ ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପ୍ରଚାର ପ୍ରସାର ପାଇଁ ଗୋ-ସ୍ୱିପ୍ଟ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି। ଏହି ପୋର୍ଟାଲକୁ ଯାଇ ଉଦ୍ୟୋଗପତିମାନେ ନିଜର ଶିଳ୍ପ ପାଇଁ ଅନୁମୋଦନ ଓ ଜମି ସଂପର୍କିତ ଅନୁମତି ସହଜରେ ପାଇ ପାରିବେ।

ଏହାଛଡା ସରକାର ଏକ ଇଣ୍ଡଷ୍ଟ୍ରି କେଆର ମେକାନିଜିମ୍ ପ୍ରତିଷ୍ଠା କରିଛନ୍ତି, ଯାହା ଉଦ୍ୟୋଗପତିମାନେ ନିଜ ଶିଳ୍ପ ପରିଚାଳନା ନେଇ ଯାହା ବି ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେ ସଂପର୍କରେ ସରକାରଙ୍କର ବିଭିନ୍ନ ବିଭାଗର ସହାୟତା ନେଇ ପାରିବେ।

‘‘ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ କେନ୍ଦ୍ର ସରକାରଙ୍କର ଅନେକ ଯୋଜନା ରହିଛି। ଏହାର ଫାଇଦା ବର୍ତ୍ତମାନ ପର୍ଯ୍ୟନ୍ତ ଆମ ରାଜ୍ୟର ଉଦ୍ୟୋଗପତିମାନେ ନେଇପାରି ନାହାନ୍ତି। ଓଡ଼ିଶା ଫୁଡ ପ୍ରୋସେସିଂ ପଲିସି-୨୦୧୬ ଏବଂ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ କିଷାନ ସଂପଦ ଯୋଜନାରେ ମିଳୁଥିବା ସହୟତା, ସବସିଡିର ସୁବିଧା ନେବାକୁ ପରାମର୍ଶ ନିଅନ୍ତୁ’’, କହିଛନ୍ତି ନିତିନ ଭାନୁଦାସ ଜୱାଲେ।

ଏହି କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଉଦ୍ୟୋଗପତିମାନେ ଯୋଗ ଦେଇଥିଲେ।

ବିଦେଶରେ ବ୍ୟବସାୟ କରୁଥିବା ଓଡ଼ିଆ ଉଦ୍ୟୋଗପତି ଅଜିତ କୁମାର ମିଶ୍ର କହିଥିଲେ, ‘‘ଆମ ରାଜ୍ୟରେ ପର୍ଯ୍ୟାପ୍ତ ପନିପରିବା, ସାମୁଦ୍ରିକ ଖାଦ୍ୟ, ମସଲା, ଫଳ ଏବଂ ଅନ୍ୟ ସାମଗ୍ରୀ ବାହାରୁଛି। ଏହାର ସଠିକ ପ୍ରକ୍ରିୟାକରଣ ହୋଇ ପାରୁ ନଥିବାରୁ ଏବଂ ଆବଶ୍ୟକମୁତାବ ଶୀତଳ ଭଣ୍ଡାର ନଥିବାରୁ ବଜାରରେ ପହଞ୍ଚି ପାରୁନି। ଫଳରେ ଚାଷୀ ସଠିକ ପ୍ରାପ୍ୟ ପାଇପାରୁ ନାହିଁ। ଗତ କିଛି ବର୍ଷ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସକରାତ୍ମକ ଉଦ୍ୟମ ଯୋଗୁଁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଜ୍ଜଳ ସମ୍ଭାବନା ଦେଖାଦେଇଛି।’’

ସେହିପରି ଓଡ଼ିଶାର ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ରୁଚି ମସଲା କମ୍ପାନିର ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ମଧ୍ୟ ନିଜର ୪୪ ବର୍ଷର ଲମ୍ବା ଯାତ୍ରା ଓ ସଫଳତାର କାହାଣୀ ସମ୍ପର୍କରେ କହିଥିଲେ। ଆଗକୁ ସେ କଟକର ରାମଦାସପୁରଠାରେ ଏକ ମେଗା ଫୁଡ ପାର୍କ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସରକାର ତାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି ବୋଲି କହିଥିଲେ।

ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଳ ସଂପଦ ବିଭାଗର ଅଧିକାରୀ, କୃଷି, ଉଦ୍ୟାନ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Comment