ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଇ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ଉତ୍ପାଦ କିଣିବେ ରାଜ୍ୟ ସରକାର। ଏହାସହ ଇଏମ୍‌ଡିରେ ସେମାନଙ୍କୁ ରିହାତି ପ୍ରଦାନ କରାଯିବ।

ରାଜ୍ୟରେ ରୋଜଗାର ଓ ନିଯୁକ୍ତି ବଢ଼ାଇବା ପାଇଁ ଅଣୁ, କ୍ଷୁଦ୍ର ଉଦ୍ୟୋଗ ଓ ଷ୍ଟାର୍ଟଅପ୍‌ର ଉତ୍ପାଦ କିଣି ସେମାନଙ୍କୁ ପ୍ରୋତ୍ସାହିତ କରିବେ ଓଡ଼ିଶା ସରକାର। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଗତ ଶୁକ୍ରବାର ଏଥିପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି, ଯାହା ଏମ୍‌ଏସ୍‌ଇ ଓ ଷ୍ଟାର୍ଟଅପ୍ କ୍ଷେତ୍ରକୁ ବଡ଼ଧରଣର ସହାୟତା ଦେବ।

କୋଭିଡ୍ ମହାମାରୀ ପାଇଁ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ତଥା ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି, ଯାହା ରାଜ୍ୟରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ରାଜ୍ୟ ସରକାର ବ୍ୟବସାୟୀଙ୍କଠାରୁ କୌଣସି ଦ୍ରବ୍ୟ କିମ୍ବା ସେବା କିଣିବା ବେଳେ, ସମ୍ପୃକ୍ତ ବ୍ୟବସାୟୀମାନେ ‘ମେକ୍ ଇନ୍ ଓଡ଼ିଶା’ ଅଭିଯାନ ଅଧୀନରେ ସ୍ଥାନୀୟ ଦ୍ରବ୍ୟ କିମ୍ବା ସେବା କ୍ରୟକରି ସରକାରଙ୍କୁ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବ। ମେକ୍ ଇନ୍ ଓଡ଼ିଶା ଅଧୀନରେ ସରକାରୀ କ୍ରୟ କାର୍ଯ୍ୟକ୍ରମରେ ନୋଡାଲ ସଂସ୍ଥା ହିସାବରେ ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଜାରି କରିବ ଏମ୍‌ଏସ୍‌ଏମ୍‌ଇ ବିଭାଗ। ସରକାରଙ୍କ ଏହି ବ୍ୟବସ୍ଥାରେ ଓଡ଼ିଶାରେ ଥିବା ଅଣୁ, କ୍ଷୁଦ୍ର ଉଦ୍ୟୋଗ ଓ ଷ୍ଟାର୍ଟଅପ୍‌ଠାରୁ ହିଁ ଦ୍ରବ୍ୟ କିମ୍ବା ସେବା କିଣାଯିବା ପାଇଁ ସ୍ଥାନ ସଂରକ୍ଷିତ ରଖାଯାଇଛି।

ନିଲାମି ପ୍ରକ୍ରିୟାରେ ସ୍ଥାନୀୟ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଉ ଇଏମ୍‌ଡି (ଆର୍ନେଷ୍ଟ ମନି ଡିପୋଜିଟ୍) ବା ଅଗ୍ରୀମ ରାଶି ଜମା କରିବାକୁ ପଡ଼ିବ ନାହିଁ ସେଥିରୁ ସେମାନଙ୍କୁ ରିହାତି ଦିଆଯାଇଛି। ଯେଉଁ ଉଦ୍ୟୋଗୀମାନେ ମନୋନୀତ ହେବେ, ସେମାନେ ପରଫରମାନ୍ସ ସିକ୍ୟୁରିଟି ମୂଲ୍ୟର ୨୫ ପ୍ରତିଶତ ଜମାଦେବେ। ସେହିଭଳି ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟ ଇଏମ୍‌ଡି ଦେବେ ନାହିଁ ଏବଂ ସେମାନଙ୍କୁ ପରଫରମାନ୍ସ ସିକ୍ୟୁରିଟି ଅର୍ଥ ବାବଦକୁ ରିହାତି ପ୍ରଦାନ କରାଯିବ।

ସେହିପରି ଓଡ଼ିଶାରେ ଥିବା ଅଣୁ, କ୍ଷୁଦ୍ର ଉଦ୍ୟୋଗ ଓ ଷ୍ଟାର୍ଟଅପ୍‌ଗୁଡ଼ିକର ଉତ୍ପାଦ ତାଲିକା ପ୍ରସ୍ତୁତ କରାଯିବା ସହ ସେମାନଙ୍କଠାରୁ ହିଁ ଉତ୍ପାଦ କ୍ରୟ ବାଧ୍ୟତାମୂଳକ କରାଯିବା ପାଇଁ ନିର୍ଦ୍ଦେଶାବଳୀରେ ଉଲ୍ଳେଖ ରହିଛି। ଜିଇଏମ୍‌ (ଗଭର୍ନମେଣ୍ଟ ଇ ମାର୍କେଟିଂ) ତାଲିକା ବାହାରେ ଥିବା କୌଣସି ଗୁଣବତ୍ତାସମ୍ପନ୍ନ ଉତ୍ପାଦ କିଣିବା ପାଇଁ ଉଦ୍ୟୋଗୀମାନଙ୍କୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ହେବ।

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ପଲିସି ୨୦୧୬ ଏବଂ ଓଡ଼ିଶା ପ୍ରୋକ୍ୟୁରମେଣ୍ଟ ପ୍ରିଫରେନ୍ସ ପଲିସି କ୍ରମରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଣୁ, କ୍ଷୁଦ୍ର ଉଦ୍ୟୋଗ ଓ ଷ୍ଟାର୍ଟଅପ୍‌ଠାର ଉତ୍ପାଦ କିଣିବା ପାଇଁ ମଝିରେ ମଝିରେ ନିର୍ଦ୍ଦେଶନାମା ଦେବେ।

ଉଦ୍ୟୋଗୀଙ୍କୁ ପରଫରମାନ୍ସ ସିକ୍ୟୁରିଟି ହିସାବରେ କଣ୍ଟ୍ରାକ୍ଟର ଯେତିକି ମୂଲ୍ୟ ରହିଛି, ତାହାର ୫ରୁ ୧୦ ପ୍ରତିଶତ ଜମା କରିବାକୁ ପଡ଼ିବ। ନିଲାମି ପରେ କଣ୍ଟ୍ରାକ୍ଟ ପାଇବାରେ ବିଫଳ ହୋଇଥିବା ଉଦ୍ୟୋଗୀଙ୍କୁ ସେମାନଙ୍କୁ ବିଡ୍‌ ସିକ୍ୟୁରିଟି ଫେରାଇ ଦିଆଯିବ।

Comment