ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଉଦ୍ୟମ କରାଯିବ। ବୁଧବାର ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ଏହି ଗସ୍ତରେ ମନ୍ତ୍ରୀ ପ୍ରଥମେ ରାୟଗଡା ସଦର ବ୍ଲକର ଭାକୁରଗୁଡା ସେବାଶ୍ରମ ଗସ୍ତ କରି ସ୍କୁଲ କର୍ତ୍ତୃପକ୍ଷ ହାତକୁ ନେଇଥିବା ବିଭିନ୍ନ ଶିକ୍ଷାଭିତ୍ତିକ ଖସଡାର ଅନୁଧ୍ୟାନ କରିଥିଲେ। ହେଲେ ପିଲାଙ୍କ ପାଠପଢ଼ା ଏବଂ ଜ୍ଞାନଗାରିମା ଦେଖି ନିରାଶ ହୋଇଥିଲେ ମନ୍ତ୍ରୀ।

ମନ୍ତ୍ରୀ କମ୍ପ୍ୟୁଟରର ମନିଟର, ମାଉସ୍, ସିପିୟୁ ଆଦି ଯନ୍ତ୍ରାଂଶକୁ ଦେଖାଇ ଏସବୁ କଣ ବୋଲି ଜଣେ ସପ୍ତମ ଶ୍ରେଣୀ ଛାତ୍ରକୁ ପ୍ରଶ୍ନ କରିଥିଲେ। ପିଲାଟି ସଠିକ ଉତ୍ତର ଦେଇନପାରିବାରୁ ଉଦବେଗ୍‌ ପ୍ରକାଶ କରିଥିଲେ। ମନ୍ତ୍ରୀ ପରେ ରାୟଗଡ଼ା ସହରର ଉପକଣ୍ଠରେ ଥିବା ପ୍ରେମ୍ ପାହାଡ ବୁଲି ଦେଖିଥିଲେ ମନ୍ତ୍ରୀ।

ଉକ୍ତ ପାହାଡ ଏବେ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ପେଣ୍ଠସ୍ଥଳ ପାଲଟିଥିବା ବେଳେ ଏହାର ଉନ୍ନତି ପାଇଁ ପର୍ଯ୍ୟାୟକ୍ରମେ ଉଦ୍ୟମ କରାଯିବ ବୋଲି କହିଥିଲେ। ସେହିପରି ପୁରୀ, କୋଣାର୍କ ଓ ଚିଲିକାର ପର୍ଯ୍ୟଟନ ବିକାଶ ଉପରେ ଯେମିତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି, ସେହିପରି ଅବିଭକ୍ତ କୋରାପୁଟ୍ ଜିଲ୍ଲାରେ ମଧ୍ୟ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ସହରସ୍ଥିତ ଏକଲବ୍ୟ ଆଶ୍ରମ ବିଦ୍ୟାଳୟକୁ ଯାଇ ଦଶମ ଏବଂ ଏକାଦଶ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଥିଲେ। ଶେଷରେ ଏହି ଆଶ୍ରମ ସ୍କୁଲର ଛାତ୍ରୀନିବାସ ପରିଦର୍ଶନ କରି ପିଲାଙ୍କ ସହିତ ଏକାଠି ବସି ମଧ୍ୟାନ ଭଜନ ଖାଇଥିଲେ।

Comment