ଓଡ଼ିଶାଲାଇଭ ବ୍ୟୁରୋ

ଆଉ ଗୋଟିଏ ଦିନ ପରେ ଦୀପାବଳି। ଲଗାଣ ବର୍ଷା ଯୋଗୁଁ ବାଣ ବେପାର ମାନ୍ଦା

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଣ ବ୍ୟବସାୟୀଙ୍କ ଆଶାରେ ପାଣି ପୁରାଇ ଦେଲା ଲଘୁଚାପ ଜନିତ ଲଗାଣ ବର୍ଷା। ରବିବାର ଦୀପାବଳି ଥିବାରୁ ଦୁଇଦିନ ଲଗାତାର ବର୍ଷା ଯୋଗୁଁ ଏଯାଏଁ ବାଣ ଦୋକାନୀ ବେପାର ଆରମ୍ଭ କରିପାରି ନାହାନ୍ତି। ଫଳରେ ବାଲେଶ୍ଵର ଆଇଟିଆଇ ଛକ ପଡିଆ ଓ ଜେଲରୋଡସ୍ଥିତ ପୁରୁଣା ଷ୍ଟାଡିୟମ ପଡିଆରେ ଖୋଲା ହେବାକୁ ଥିବା ବାଣ ଦୋକାନ ଖୋଲା ହୋଇପାରିନାହିଁ। ଏହାକୁ ନେଇ ବାଣ ବ୍ୟବସାୟୀମାନେ ଚିନ୍ତାରେ ପଡିଛନ୍ତି।

ଗୋଟିଏ ଦିନ ପରେ ସବୁଠି ପାଳନ ହେବ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି। ସେଥିପାଇଁ ବାଲେଶ୍ଵରରେ ମଧ୍ୟ ଦୀପାବଳିକୁ ଜୋରଦାରରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର ଲଘୁଚାପ ଜନିତ ବର୍ଷା ଧୋଇଦେଇଛି ଦୀପାବଳିର ସବୁ ଉତ୍ସାହ ଓ ଆନନ୍ଦ। ବର୍ଷାରେ ବେହାଲ୍ ବାଲେଶ୍ଵର ସହର।

ଦୁଇ ଦିନ ତଳେ ବାଣ ବ୍ୟବସାୟୀମାନେ ବେପାର ପାଇଁ ପୁରୁଣା ଷ୍ଟାଡିୟମ ଏବଂ ଆଇଟିଆଇ ଛକ ପଡ଼ିଆରେ ଷ୍ଟଲ୍‌ ଲଗାଇଥିଲେ। ହେଲେ ଅଚାନକ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ବ୍ୟବସାୟ ଆରମ୍ଭ ହୋଇପାରିନି। ଅନେକଙ୍କର ଦୋକାନ ଷ୍ଟ୍ରକଚର୍ ମଧ୍ୟ ସଂପୂର୍ଣ୍ଣ ହୋଇପାରିନି।

ପ୍ରତିବର୍ଷ ବାଲେଶ୍ଵର ବାଣ ବ୍ୟବସାୟୀଙ୍କ ସାମ୍ନାରେ କିଛି ନା କିଛି ପ୍ରତିବନ୍ଦକ ରହୁଛି। ୨୦୧୬ରେ ପରମିଟ ପଡ଼ିଆରେ ବସିଥିବା ବାଣ ଦୋକାନୀଙ୍କୁ ୨୦୧୭ ମସିହାରେ ମିସନ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ପୁଣି ୨୦୧୮ରେ ମିସନ ପଡ଼ିଆରେ ଜମି ବିବାଦ ଯୋଗୁଁ ସେଠାରେ ବସୁଥିବା ୬୦ଟି ବାଣ ଦୋକାନୀଙ୍କୁ ପୁରୁଣା ଷ୍ଟାଡିୟମରେ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ବାକି ପ୍ରାୟ ୧୪ଟି ବାଣ ଦୋକାନ ଆଇଟିଆଇ ଛକ ପଡ଼ିଆରେ ବସିଥିଲେ।

ସେହିପରି ଚଳିତ ବର୍ଷ ପୁରୁଣା ଷ୍ଟାଡିୟମରେ ୬୫ ଏବଂ ଆଇଟିଆଇ ଛକ ପଡ଼ିଆରେ ୨୨ଟି ବାଣ ଦୋକାନ ଖୋଲାଯିବ। ସେଥିପାଇଁ ବ୍ୟବସାୟୀମାନେ ପଡ଼ିଆରେ ଷ୍ଟଲ୍ ନିର୍ମାଣ ବି ଆରମ୍ଭ କରିଦେଇଥିଲେ। ମାତ୍ର ଦୁଇ ଦିନ ଧରି ଲାଗିଥିବା ଲଗାତାର ବର୍ଷା ବାଣ ବେପାର ଉପରେ ଚଡ଼କ ପକାଇଛି।

“ଏଥର ବି ବେପାର ମାନ୍ଦା ହେବ ଲାଗୁଛି। ଆଜି ଆମେ ସମସ୍ତେ ବାଣ ଦୋକାନ ଖୋଲିଥାନ୍ତୁ। ମାତ୍ର ଗତକାଲିଠୁ ବର୍ଷା ଯୋଗୁଁ ଦୋକାନ ଖୋଲା ହୋଇପାରିନି। ବାଣ ବିକ୍ରିରେ ପ୍ରତିବର୍ଷ କିଛି ନା କିଛି ସମସ୍ୟା ଦେଖାଦେଉଛି। ଫଳରେ ଯେତିକି ବେପାର ପାଇଁ ଭାବୁଛୁ ସେତିକି ହୋଇପାରୁନି। ଚଳିତ ବର୍ଷ ନୂଆ ବାଣ ବି ଆସିଥିଲା। ମୁଁ  ପୁରୁଣା ଷ୍ଟାଡିୟମରେ ଦୁଇଟି ଷ୍ଟଲରେ ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ଆଣିଛି। ହେଲେ ଏବେ ବର୍ଷା ନେଇ ଚିନ୍ତା ଲାଗୁଛି” କହିଛନ୍ତି ବାଣ ବ୍ୟବସାୟୀ ସଞ୍ଜୟ ବାରିକ।

Comment