ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ, ପଲ୍ଲୀ ସଙ୍ଗୀତ, ଛାନ୍ଧ, ଚମ୍ପୁ ତଥା ଭକ୍ତି ସଙ୍ଗୀତର ପ୍ରସିଦ୍ଧ ଗାୟିକା ହେଲେ ଶ୍ୟାମାମଣୀ ଦେବୀ। ତାଙ୍କ ସୁମଧୁର କଣ୍ଠ ପାଇଁ ତାଙ୍କୁ ଓଡ଼ିଶାର କୋଇଲିର ଆଖ୍ୟା ମିଳିଛି। ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଶ୍ୟାମାମଣୀ ଦେବୀଙ୍କ ଅହେତୁକ ଅବଦାନ ରହିଛି। ଏଥିଯୋଗୁଁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୭-୧୮ ବର୍ଷ ପାଇଁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ଭୂଷିତ କରାଯିବ। ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କଳା ସାଧକଙ୍କୁ ପୁରସ୍କାର ସହ ୧ ଲକ୍ଷ ଟଙ୍କା ଓ ମାନପତ୍ର, ଉପଢ଼ୌକନ ଦେଇ ସମ୍ମାନ କରାଯିବ।

୧୯୩୮, ଡିସେମ୍ବର ୨୧ରେ କଟକ ଜିଲ୍ଲା ବାଙ୍କୀ ସବ୍‌ଡିଭିଜନ୍‌ର ସୁବର୍ଣ୍ଣପୁର ଗାଁରେ ଏକ ସଙ୍ଗୀତ ପରିବାରରେ  ଶ୍ୟାମାମଣୀ ଦେବୀ ଜନ୍ମ ହୋଇଥିଲେ। ପିଲାବେଳୁ ସଙ୍ଗୀତରେ ରୁଚି ରଖିଥିବା ଶ୍ୟାମାମଣୀ ପାଞ୍ଚ ଭଉଣୀ ମଧ୍ୟରେ ସବୁଠୁ ସାନ ଭଉଣୀ। ମାତ୍ର ୧୨ ବର୍ଷ ବୟସରୁ ସେ ନିଜ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ୧୯୫୦ ମସିହାରେ ସେ ଆକାଶବାଣୀରେ ଗୀତ ଗାଇବାର ସୁଯୋଗ ପାଇଥିଲେ।

ପାଠ ସଙ୍ଗୀତ ଉଭକୟ କ୍ଷେତ୍ରରେ ପାରଙ୍ଗମ ଥିଲେ ଶ୍ୟାମାମଣୀ ଦେବୀ। ସେ ସଙ୍ଗୀତ ନାଟକ ଏକାଡେମୀରୁ ସଙ୍ଗୀତ ବିଶାରଦ ଶିକ୍ଷା ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନୀ ଭୋକାଲ ସଙ୍ଗୀତରେ ସଙ୍ଗୀତ ଅଳଙ୍କାର ଉପାଧି ଗର୍ନ୍ଧବ ମହାବିଦ୍ୟାଳୟ ପୁନେରୁ ୧୯୮୫ ମସିହାରେ ଲାଭ କରିଥିଲେ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଶ୍ୟାମାମଣୀ ଦେବୀଙ୍କୁ ୨୦୧୨ ମସିହାରେ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ଏହାଛଡ଼ା ସେ ୨୦୧୭ରେ ଗୁରୁକେଳୁଚରଣ ସମ୍ମାନ, ୧୯୯୪ରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଭଳି ଅନେକ ସମ୍ମାନ ପାଇଛନ୍ତି।

Comment