ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏକାଡେମୀର ସର୍ବୋଚ୍ଚ ସମ୍ମାନ – ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜସମ୍ମାନ
  • ୨୦୧୭-୧୮ ବର୍ଷ ପାଇଁ ଶ୍ୟାମାମଣୀ ଦେବୀ
  • ୨୦୧୮-୧୯ ବର୍ଷ ପାଇଁ ଉପେନ୍ଦ୍ର କୁମାର ପାଣିଗ୍ରାହୀ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

୨୦୧୭-୧୮ ବର୍ଷ ପାଇଁ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମାମଣୀ ଦେବୀ ଏବଂ ୨୦୧୮-୧୯ ବର୍ଷ ପାଇଁ ଗଞ୍ଜାମର ବିଶିଷ୍ଟ ଦାସକାଠିଆ ଗାୟକ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ହେଉଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଥିବା ଦୁଇ ଜଣ ବିଶିଷ୍ଟ କଳା ସାଧକଙ୍କୁ ନଗଦ ୧ ଲକ୍ଷ ଟଙ୍କା ଏବଂ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ସେହିପରି ଏକାଡେମୀ ପୁରସ୍କାର ପାଇବାକୁ ଥିବା ବିଶିଷ୍ଟ କଳାକାରମାନଙ୍କୁ ନଗଦ ୫୦ ହଜାର ଟଙ୍କା, ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ବିଜୟ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

୨୦୧୭-୧୮ ବର୍ଷ ପାଇଁ ଏକାଡେମୀ ପୁରସ୍କାର

ସେହିପରି ୨୦୧୭-୧୮ ବର୍ଷ ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଶାନ୍ତିଲତା ବାରିକ ଛୋଟରାୟ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ସୁନ୍ଦରଗଡ଼ର ଅଳକା ଚାନ୍ଦ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କଟକର ରବି ଶଙ୍କର ପ୍ରଧାନ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ବାଦ୍ୟ) ପାଇଁ ପୁରୀର କାଳନ୍ଦୀ ଚରଣ ପରିଡ଼ା, ସୁଗମ ସଙ୍ଗୀତ ପାଇଁ ଡକ୍ଟର ସୁଧା ମିଶ୍ର, ଲୋକବାଦ୍ୟ ପାଇଁ ବଲାଙ୍ଗିରର ଆଲୋକ ପ୍ରସାଦ ଦାଶ, ଲୋକ ସଙ୍ଗୀତ ପାଇଁ କେନ୍ଦୁଝରର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନା ପାଇଁ ବାଲେଶ୍ୱରର ହେମେନ୍ଦ୍ର ମହାପାତ୍ର, ଅଭିନୟ ପାଇଁ ଭଦ୍ରକର ବୃନ୍ଦାବନ ବାରିକ, ଭୁବନେଶ୍ୱରର ବିଦ୍ୟୁତପ୍ରଭା ପଟ୍ଟନାୟକଙ୍କୁ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଛି।

ନିର୍ଦ୍ଦେଶନା ପାଇଁ ପ୍ରସନ୍ନ ମିଶ୍ର, ମଞ୍ଚକଳା ପାଇଁ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡ଼ିଶୀ ନୃତ୍ୟ ପାଇଁ ବ୍ରଜ କିଶୋର ମଲ୍ଲିକ, ଲୋକନୃତ୍ୟ ପାଇଁ ନୀଳକଣ୍ଠ ତରେଇ, ଲୋକନାଟ୍ୟ ପାଇଁ ଡକ୍ଟର କେଶର ରଞ୍ଜନ ପ୍ରଧାନ, ଗୀତିକବିତା ପାଇଁ ମିନାକ୍ଷୀ ଦେବୀଙ୍କୁ ଏକାଡେମି ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି।

୨୦୧୮-୧୯ ବର୍ଷ ପାଇଁ ଏକାଡେମୀ ପୁରସ୍କାର

ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଗଞ୍ଜାମର ସୀମାଞ୍ଚଳ ଦାସ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ହରିହର ରଥ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କେନ୍ଦ୍ରାପଡ଼ାର ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ବାଦ୍ୟ) ପାଇଁ ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତ ପାଇଁ ଗୀତା ଦାଶ, ଲୋକ ବାଦ୍ୟ ପାଇଁ ସମ୍ବଲପୁରର ସନ୍ତୋଷ ସୁନା, ଲୋକ ସଙ୍ଗୀତ ପାଇଁ ବଲାଙ୍ଗିରର ବିଥିକା ଚାଟାର୍ଜୀ, ନାଟ୍ୟ ରଚନା ପାଇଁ ଭଦ୍ରକର ଡକ୍ଟର ସୁଧାଂଶୁ ନାୟକ, ଅଭିନୟ ପାଇଁ ନିରଞ୍ଜନ ସାହୁ ଏବଂ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ନିର୍ଦ୍ଦେଶନା ପାଇଁ ହରେନ୍‌ କୁମାର ସାହୁ, ମଞ୍ଚକଳା ପାଇଁ ସଂଗ୍ରାମ କେଶରୀ ମହାରଣା, ଓଡ଼ିଶୀ ନୃତ୍ୟ ପାଇଁ ମୀରା ଦାସ, ଲୋକନୃତ୍ୟ ପାଇଁ ମାଗୁଣୀ ଜେନା, ଲୋକନାଟ୍ୟ ପାଇଁ ବିଜୟ କୁମାର ବହଳି, ଗୀତିକବିତା ପାଇଁ ବଦ୍ରି ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି।

Comment