ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦ୍ୱିତୀୟ ଅଧ୍ୟାୟରେ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳବାଦ୍ୟ ଓ ମର୍ଦ୍ଦଳ ବାଦନ
  • ଟେଲିଭିଜନ ଓ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ
  • ଭର୍ଚୁଆଲ୍ ମାଧ୍ୟମକୁ ସ୍ୱାଗତ କରିବାକୁ କଳାପ୍ରେମୀଙ୍କୁ ବିଭାଗର ଅନୁରୋଧ
  • ଓଡ଼ିଶାଲାଇଭର ଫେସବୁକ, ୟୁଟ୍ୟୁବ ଓ ହେଲୋ ଆଦି ସୋସିଆଲ୍ ଚ୍ୟାନେଲରେ ପ୍ରସାରଣ 

କରୋନା ସଂକ୍ରମଣ ଯୋଗୁଁ ସଭାସମିତି ବନ୍ଦ।  ତେଣୁ ସବୁ ପ୍ରକାର ସଙ୍ଗୀତ, ନୃତ୍ୟର ଉତ୍ସବ ମଧ୍ୟ ବନ୍ଦ ହୋଇଯାଇଛି। ତେବେ ଏହି ସମୟରେ କଳାର ଧାରାକୁ ଜାରି ରଖିବା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭର୍ଚୁଆଲ ଧାରାରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ସିରିଜ କାର୍ଯ୍ୟକ୍ରମର ଦ୍ୱିତୀୟ ଅଧ୍ୟାୟରେ ରହିଛି ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳବାଦ୍ୟ ଓ ମର୍ଦ୍ଦଳ ବାଦନ। ତାଙ୍କର ବହୁବିଧ ତାଳବାଦ୍ୟର କୀର୍ତ୍ତିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ବାଦ୍ୟବାଣୀରେ ରହିଛି ‘ଆଦିତାଳ ୧୬ ମାତ୍ରା ବିଶିଷ୍ଟ ବିବିଧ ବୃନ୍ଦ ବାଦନ’ର ଏକ ସୁନ୍ଦର ପ୍ରକାଶନ।“ବର୍ତ୍ତମାନ ସମୟରେ କୋଭିଡ୍ ୧୯ ମହାମାରୀ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଆମର ପ୍ରାଥମିକତା ହୋଇଛି। ତେଣୁ ସମସ୍ତ ପ୍ରକାର ମଞ୍ଚ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। ତେଣୁ ମଞ୍ଚ ବଦଳରେ ଭର୍ଚୁଆଲ ମାଧ୍ୟମକୁ ଆଦରି ନେଇ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତ କରାଯାଉଛି। ଲାଇଭ୍ ଅଡିଅନ୍ସଙ୍କ ବଦଳରେ ସେହି ସବୁ କାର୍ଯ୍ୟକ୍ରମକୁ ଟେଲିଭିଜନ ଓ ଡିଜିଟାଲ ମିଡିଆ ମାଧ୍ୟମରେ ଏକ ବ୍ୟାପକ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆମେ ଉଦ୍ୟମ କରୁଛୁ,” ଓଡ଼ିଶାଲାଇଭକୁ କହିଛନ୍ତି ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।“କଳା ଏକ ଗତିଶୀଳ ଧାରା। ଏହା କେବେ ଅଟକେ ନାହିଁ। ତେଣୁ କୋଭିଡ୍ ଭଳି ମହାମାରୀ ସମୟରେ ମଧ୍ୟ କଳାର ଏହି ଧାରାକୁ ବଜାୟ ରଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଏକାଡେମୀକୁ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦିଆଯାଇଛି। ତେଣୁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସିରିଜ ଲାଗି ମୁଁ ଏକାଡେମୀର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଉଛି,” ଓଡ଼ିଶାଲାଇଭକୁ କହିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଛନ୍ତି, “ ବର୍ତ୍ତମାନ ସାରା ପୃଥିବୀ ଏକ ଖରାପ ସମୟ ଦେଇ ଗତି କରୁଛି। କରୋନା କାରଣରୁ ବିଶେଷଜ୍ଞମାନେ ଭିଡ଼କୁ ଏଡେଇଯିବା ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମ ସାହାଯ୍ୟରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଆମେ ଉଦ୍ୟମ କରୁଛୁ। କଳାକୁ ଭଲ ପାଉଥିବା ପ୍ରତିଟି ମଣିଷ ଏହାକୁ ଗ୍ରହଣ କରିବା ସହିତ ନିଶ୍ଚୟ ଏହାକୁ ପ୍ରଶଂସା କରିବେ।”ଏହି ତାଳବାଦ୍ୟ ଓ ମର୍ଦ୍ଦଳ ବାଦନ କାର୍ଯ୍ୟକ୍ରମରେ ଯେଉଁମାନେ ତାଳବାଦ୍ୟ ପରିବେଷଣ କରିଛନ୍ତି ସେମାନେ ହେଲେ ଗୁରୁ ଧନେଶ୍ୱର ସ୍ୱାଇଁ (ପରିକଳ୍ପନା ଓ ନିର୍ଦ୍ଦେଶନା), ଗୁରୁ କାଳନ୍ଦୀ ପରିଡା (ଖୋଳ), ଗୁରୁ ଅଜୟ ଚୌଧୁରୀ (ଖଞ୍ଜଣି, ତବଲା), ଗୁରୁ ବୁଦ୍ଧନାଥ ସ୍ୱାଇଁ (ମର୍ଦ୍ଦଳ), ଗୁରୁ ବିଶ୍ୱରଞ୍ଜନ ନନ୍ଦ (ତବଲା), ସଂଜୟ ରାଉତ (ନାଲ୍), ବୈଭବ ଦାଶ (ଡୋଲକ) ଓ ସୀତାକାନ୍ତ ଜେନା (ଧୁମ୍ସା)।

କରୋନା ଘଡ଼ିରେ ପ୍ରସାରିତ ହେଉଥିବା ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ରଖିଛନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଡକ୍ଟର ରାମକୃଷ୍ଣ ସାହୁ। ସେ କହିଛନ୍ତି ଯେ, ଭର୍ଚୁଆଲ୍ ମାଧ୍ୟମରେ କଳାକାରମାନେ ପୁଣିଥରେ ସେମାନଙ୍କର ପ୍ରଶଂସକମାନଙ୍କ ପାଖରେ ପହଞ୍ଚିପାରିବେ। ଏହି କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିବେ ବୋଲି ସେ ଆଶା ରଖିଛନ୍ତି। ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରାୟ କହିଛନ୍ତି ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଏହି ପ୍ରୟାସ କଳାକାରଙ୍କୁ ଓ ତାଙ୍କର କଳାକୁ ମଞ୍ଚ ସହିତ ଯୋଡ଼ି ରଖିପାରିବ।

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ ଦେଶବିଦେଶର ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭର ଫେସବୁକ, ୟୁଟ୍ୟୁବ ଓ ହେଲୋ ଆଦି ସୋସିଆଲ୍ ଚ୍ୟାନେଲରେ ପ୍ରସାରଣ କରାଯାଉଛି।

Comment