ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ କାରଣରୁ ସାରା ଦେଶ ଏବେ ଘରେ ବସିଛି। ଏଭଳି ସମୟରେ ଡିଜିଟାଲ୍ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ସଂସ୍କୃତି ବିଭାଗ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମକୁ ଡିଜିଟାଲ ପ୍ରସାରଣ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି।

ଏନେଇ ବୁଧବାର ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସଙ୍ଗୀତ ନାଟକ ଓ ସାହିତ୍ୟ ଏକାଡେମୀ ତରଫରୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ କେତେକ ପ୍ରବଚନ, ସୁଗମ ସଙ୍ଗୀତ, ଭଜନ, ବାଦ୍ୟଯନ୍ତ୍ର, ସୋଲୋ ଏକାଙ୍କିକା ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହାର ଭିଡିଓ ରେକଡିଂ କରାଯାଇ ଏହାକୁ ଟିଭି ଓ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରସାରଣ କରାଯିବ। ଜୁନ୍ ପହିଲାରୁ ଏହି ସବୁ କାର୍ଯ୍ୟକ୍ରମର ପ୍ରସାରଣ ହେବ ବୋଲି କୁହାଯାଇଛି।

ଏଥିସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ୩୦ ତାରିଖରେ ହେବାକୁ ଥିବା ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମର ମଧ୍ୟ ଡିଜିଟାଲ୍ ପ୍ରସାରଣ କରିବାକୁ ବ୍ୟବସ୍ଥା ହୋଇଛି। ଏଥିରେ ବକ୍ତା ଭାବେ ଡକ୍ଟର କୃଷ୍ଣକେଶବ ଷଡଙ୍ଗୀ କବିସୂର୍ଯ୍ୟ ବଳଦେବରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଉପରେ ବକ୍ତବ୍ୟ ରଖିବେ। ଏହି କାର୍ଯ୍ୟକ୍ରମରେ ବକ୍ତାଙ୍କ ସହିତ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ଭାଗ୍ୟଲିପି ମଲଙ୍କ ମଧ୍ୟ ରହିବେ। ସେହିପରି ରାଜ୍ୟ ଅଭିଲେଖାଗାର ଦ୍ୱାରା ଆୟୋଜିତ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରୁ ମଧ୍ୟ ଡିଜିଟାଲ ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗ ତରଫରୁ କୁହାଯାଇଛି ।

ବୁଧବାର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସଙ୍ଗୀତ ନାଟକ ଏକାଡେମୀର ସଭାପତି ଡକ୍ଟର ରାମକୃଷ୍ଣ ସାହୁ, ସଚିବ ପ୍ରବୋଧ ରଥ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

Comment