ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ଐତିହାସିକ କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମାନ୍ୟତା। ଏନେଇ ଶୁକ୍ରବାର ଓଡ଼ିଶା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ତେବେ ମାନ୍ୟତା ମିଳିବା ପରେ ବାଲିଯାତ୍ରା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିବ। ମାନ୍ୟତା ମିଳିବା ପରେ ବିଭିନ୍ନ ବିଭାଗରୁ ଅନୁଦାନ ମିଳିବ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବାର୍ଷିକ ୨୦ ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ସ୍ଥିର ହୋଇଛି। ଏହାସହ ପର୍ଯ୍ୟଟନ ବିଭାଗର କ୍ୟାଲେଣ୍ଡରରେ କଟକ ବାଲିଯାତ୍ରା ସ୍ଥାନିତ ହେବ। ଯାହାଫଳରେ ବିଭାଗ ତରଫରୁ ବାଲିଯାତ୍ରାକୁ ବାର୍ଷିକ ୨୦ଲକ୍ଷ ଟଙ୍କା ଅନୁଦାନ ମିଳିବ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ କଟକ ମହାନଗର ନିଗମକୁ ବାଲିଯାତ୍ରାର ଭିତ୍ତିଭୂମି ବିକାଶ ନିମନ୍ତେ ୫୦ଲକ୍ଷ ଟଙ୍କା ମିଳିବ। ଏହିଭଳି ଭାବେ ଏଣିକି ଆଗକୁ ପ୍ରତିବର୍ଷ ବାଲିଯାତ୍ରାରେ ପ୍ରାୟ ୯୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିବ।

ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ୍ କୁମାର ଝା ପ୍ରମୁଖ ଉପସ୍ଥିତ ରହି ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଥିଲେ।

ଅନୁଦାନ ଆସିବା ପରେ ଏହାର କିଭଳି ବିନିଯୋଗ କରାଯିବ ସେ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ବିଶେଷ କରି ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି।

Comment