ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୋ କଟକ ବାଲିଯାତ୍ରା ରିକ୍ସା
  • ରିକ୍ସା ଚାଳକମାନଙ୍କୁ ଦିଆଯିବ ତାଲିମ
  • ରିକ୍ସା ଚାଳକଙ୍କୁ ମିଳିବ ସ୍ୱତନ୍ତ୍ର ଡ୍ରେସ୍‌ ଓ ପରିଚୟପତ୍ର
  • ବାଲିଯାତ୍ରାକୁ ଆସିବ ୫୦୦ ସାଇକେଲ୍‌
  • ସାଇକେଲ୍‌ରେ ରହିବ ଜିପିଆର୍‌ଏସ୍‌ ବ୍ୟବସ୍ଥା

କଟକ: ଐତିହାସିକ କଟକ ବାଲିଯାତ୍ରା ଏଥର ଜମିବ।  ବାଲିଯାତ୍ରାକୁ ନୂଆ ରୂପ ଦେବା ପାଇଁ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଏହି କ୍ରମରେ ଯୋଡ଼ି ହୋଇଛି ‘ମୋ କଟକ ବାଲିଯାତ୍ରା ରିକ୍ସା’। ଲୋକେ ଏଥର ରିକ୍ସାରେ ବାଲିଯାତ୍ରାରେ ଦେଖିବେ। ରିକ୍ସା ଚାଳକମାନଙ୍କୁ ଏଥିପାଇଁ ତାଲିମ ପ୍ରଦାନ କରାଯିବ। ରିକ୍ସା ଚାଳକଙ୍କୁ ସ୍ୱତନ୍ତ୍ର ଡ୍ରେସ୍‌ ଓ ପରିଚୟପତ୍ର ପ୍ରଦାନ କରାଯିବ। ବାଲିଯାତ୍ରାରେ ଲୋକମାନଙ୍କୁ ସହଜରେ ବୁଲେଇବା ପାଇଁ ପଡ଼ିଆରେ ରିକ୍ସାକୁ ମହଜୁଦ ରଖାଯିବ। ଏହାସହିତ ରିକ୍ସା ଚାଳକମାନଙ୍କ ଭଡ଼ା ବାବଦରେ ଏକ ଧାର୍ଯ୍ୟ ମୂଲ୍ୟ ସ୍ଥିର କରାଯିବ।

ସେହିପରି ବାଲିଯାତ୍ରାରେ ଗାଡି ପାର୍କିଂ କରିବା ପରେ ଚାଲିଚାଲି ପଡ଼ିଆକୁ ଯିବାକୁ ପଡୁଥିଲା। ଏଣିକି ଏହାର ବିକଳ୍ପ ବ୍ୟବସ୍ଥା କରାଯାଇଛି। ଗାଡ଼ି ପାର୍କିଂ କରିବା ପରେ ଲୋକେ ଚାହିଁଲେ ସାଇକେଲ୍ ଯୋଗେ ପଡ଼ିଆ ପର୍ଯ୍ୟନ୍ତ ଯାଇ ପାରିବେ। ଏଥିପାଇଁ କିଛି ଦେୟ ଦେବାକୁ ପଡିବନାହିଁ। ବାଲିଯାତ୍ରା ବୁଲିବାକୁ ଆସିବାକୁ ଥିବା ଯାତ୍ରୀ ନିଜେ ସାଇକେଲ ଚଳାଇ ପଡ଼ିଆରେ ପହଞ୍ଚି ପାରିବେ। ଏଥିପାଇଁ ପ୍ରାୟ ୫ଶହ ସାଇକେଲ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି।

ପ୍ରତିବର୍ଷ ବାଲିଯାତ୍ରାରେ କାର୍‌ ଓ ମୋଟର ସାଇକେଲ ପ୍ରବେଶ ଯୋଗୁ ପଡ଼ିଆରେ ମାତ୍ରାଧିକ ଭିଡ଼ ପରିଲକ୍ଷିତ ହେଉଥିଲା। ଏହାସହିତ ବାୟୁ ପ୍ରଦୂଷଣ ମଧ୍ୟ ହେଉଥିଲା। ପ୍ରତିବର୍ଷ ଏହାକୁ ନିୟନ୍ତ୍ରଣ କରିବା ଜିଲ୍ଲା ପ୍ରଶାସନ ପକ୍ଷେ କଷ୍ଟ ସାଧ୍ୟ ହୋଇପଡ଼ୁଥିଲା। ବାଧ୍ୟହୋଇ ପଡ଼ିଆ ଚାରିପଟେ ସାଇକେଲ ଓ ଗାଡ଼ି ଷ୍ଟାଣ୍ଡ କରିବାକୁ ପଡ଼ୁଥିଲା। ଯାହାଫଳରେ ଉପର ଓ ତଳ ପଡ଼ିଆରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିଲା।

ଖାସକରି ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ଭିନ୍ନକ୍ଷମ ଲୋକମାନେ ସଂପୂର୍ଣ୍ଣ ବାଲିଯାତ୍ରା ଦେଖିବା ସହଜ ହେଉନଥିଲା । ତେଣୁ ଚଳିତ ବର୍ଷ ନୂଆ ପଦକ୍ଷେପ ନିଆଯାଇଛି। ଲୋକମାନଙ୍କୁ ସହଜରେ ବାଲିଯାତ୍ରା ବୁଲିବା ପାଇଁ ମୋ କଟକ ବାଲିଯାତ୍ରା ରିକ୍ସା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

କେବଳ ରିକ୍ସା ନୁହେଁ, ସାଇକଲ ବ୍ୟବସ୍ଥା ମଧ୍ୟ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ୫ଶହ ସାଇକଲ୍ ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱରର କ୍ୟାପିଟାଲ୍ ଅର୍ବାନ୍ ରିଜନ୍ ସଂସ୍ଥା ଠାରୁ ସାଇକଲ ଅଣାଯିବ। ଏଥିରେ ଜିପିଆର୍‌ଏସ୍ ବ୍ୟବସ୍ଥା ରହିବ। ଯାହାଫଳରେ ସାଇକଲ ହଜିବା ଏବଂ ଚୋରି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ। ତେବେ ଓଡ଼ିଶାର କୌଣସି ମେଳାରେ ଯାତ୍ରୀଙ୍କ ପାଇଁ ପ୍ରଥମ ଥର ସାଇକଲ ବ୍ୟବସ୍ଥା ହେଉଥିବାରୁ ଏହାର ସୁବିଧା ଲୋକେ ଉଠାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Comment