ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସ୍ୱସ୍ତି ଚିଲିକା ରିସର୍ଟ
  • ରିସର୍ଟରେ ରହିଛି ୭୮ଟି ସୁନ୍ଦର ସୁନ୍ଦର କଟେଜ୍
  • ସ୍ପିଡ ବୋଟ୍‌, କାଏକିଂ, ବୋଟ୍‌ ରେସ୍ତୋରାଁର ମଜା ନେଇପାରିବେ ପର୍ଯ୍ୟଟକ
  • ଚିଲିକା ହ୍ରଦର ଅପୂର୍ବ ଶୋଭାକୁ ଦେଖି ପାରିବେ ପର୍ଯ୍ୟଟକ
  • ପର୍ଯ୍ୟଟକଙ୍କ ମନ ମୋହୁଛି ରିସର୍ଟର ପ୍ରାକୃତିକ ପରିବେଶ

ଦକ୍ଷିଣ-ଏସିଆର ସବୁଠାରୁ ବଡ଼ ମଧୁର ଜଳର ହ୍ରଦ ହେଉଛି ଚିଲିକା। ଏହାର ବିସ୍ତୀର୍ଣ୍ଣ ନୀଳ ଜଳରାଶି ଓ ଅପୂର୍ବ ପ୍ରାକୃତିକ ଶୋଭା ସାଙ୍ଗକୁ ହଜାର ହଜାର ପକ୍ଷୀଙ୍କର କଳରବ ସବୁବେଳେ ପର୍ଯ୍ୟଟକଙ୍କ ମନ ମୋହିଥାଏ। ସେଥିପାଇଁ ବର୍ଷ ତମାମ ଚିଲିକା ବୁଲିବାକୁ ଆସିଥାନ୍ତି ଦେଶ ବିଦେଶର ବହୁ ପର୍ଯ୍ୟଟକ। ବିଶେଷକରି ଶୀତ ଦିନରେ ବିଦେଶରୁ ଆସୁଥିବା ହଜାର ହଜାର ପକ୍ଷୀଙ୍କୁ ଦେଖିବା ପାଇଁ ଅଧିକ ପର୍ଯ୍ୟଟକ ଚିଲିକାକୁ ଆସିଥାନ୍ତି।

ଓଡ଼ିଶା ଉପକୂଳରେ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୧୧ ଶହ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ଚିଲିକା ହ୍ରଦ। ଭାରତୀୟ ଉପ-ମହାଦେଶରେ ସବୁଠାରୁ ଅଧିକ ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଥାଏ ଏହି ହ୍ରଦରେ। ତା’ ସାଙ୍ଗକୁ ବିରଳ ଇରାବାଡି ଡଲଫିନ୍ ପାଇଁ ପ୍ରସିଦ୍ଧ ଏ ହ୍ରଦ। ଜୈବ ବିବିଧତାର ଏକ ଉଦାହରଣ ଆମ ଚିଲିକା। ଓଡ଼ିଶା ପର୍ଯ୍ୟଟନର ଏକ ବଡ଼ ଆକର୍ଷଣ।

ରାଜଧାନୀ ଭୁବନେଶ୍ଵରରୁ ପ୍ରାୟ ଶହେ କିଲୋମିଟର ଦୂରରେ ପଡେ ଚିଲିକା। ହେଲେ ସେଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ପୂର୍ବରୁ କୌଣସି ଅତ୍ୟାଧୁନିକ ହୋଟେଲ ନ ଥିଲା। ଏହି ଅଭାବକୁ ଏବେ ପୂରଣ କରିଛି ସ୍ଵସ୍ତି ଚିଲିକା ରିସର୍ଟ।

ଏହି ଅତ୍ୟାଧୁନିକ ଲେକ୍ ରିସର୍ଟରେ ରହିଛି ୭୮ଟି ସୁନ୍ଦର ସୁନ୍ଦର କଟେଜ୍ ବା ଭିଲା। କଟେଜ୍‌ଡ଼ିକ ଲେକ୍ ଫେସିଙ୍ଗ୍ ହୋଇଥିବା ବେଳେ ରିସର୍ଟରେ ରହିଛି ଦୁଇଟି ରେସ୍ତୋରାଁ, ଗୋଟିଏ କଫି ସପ୍, ଓପନ ପୁଲ ବାର, ସ୍ପୋର୍ଟସ୍‌ ବାର୍‌, ଗେମ୍ ଜୋନ, ସାଇକ୍ଲିଂ ଜୋନ ଏବଂ ସୁନ୍ଦର ସୁନ୍ଦର ଲନ୍। ଏଠାରେ ଥିବା ଅତ୍ୟାଧୁନିକ ସ୍ପା ବିଦେଶାଗତ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣ ହୋଇପାରିଛି।

ସ୍ଵସ୍ତି ଚିଲିକା ରିସର୍ଟ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ଓ ଏହା ଭିତରେ ଥିବା ଆଇଲାଣ୍ଡ ବୁଲାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି। ଏଥିସହିତ ସ୍ପିଡ ବୋଟ୍‌, କାଏକିଂ, ବୋଟ୍‌ ରେସ୍ତୋରାଁର ମଧ୍ୟ ବ୍ୟବସ୍ଥା ରହିଛି।

ଚିଲିକା ଭିତରେ ନଳବଣ ଓ କାଳିଜାଈ ଭଳି ଜାଗା ବୁଲି ଦେଖିବା ସହ ବାକି ସମୟରେ ରିସର୍ଟର ପ୍ରାକୃତିକ ପରିବେଶ ଭିତରେ ସମୟ କାଟିବାକୁ ପସନ୍ଦ କରୁଛନ୍ତି ଦେଶ ବିଦେଶର ପର୍ଯ୍ୟଟକମାନେ।

ସ୍ଵସ୍ତି ଚିଲିକା ରିସର୍ଟ ବାଲ୍‌କୋନିରୁ ଚିଲିକାରେ ସୂର୍ଯ୍ୟୋଦୟ ଓ ସୂର୍ୟ୍ୟାସ୍ତର ଦୃଶ୍ୟ ବେଶ ମନୋରମ। ସଂଧ୍ୟାରେ ପାରମ୍ପାରିକ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ରିସର୍ଟର ଅତିଥିମାନଙ୍କୁ ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି ଆକର୍ଷିତ କରିପାରୁଛି। ରିସର୍ଟରେ ମିଳୁଥିବା ବିଭିନ୍ନ ପ୍ରକାର ସି ଫୁଡ୍‌ର ମଜା ନେଉଛନ୍ତି ପର୍ଯ୍ୟଟକମାନେ।

ସ୍ଵସ୍ତି ଚିଲିକା ରିସର୍ଟରେ ରହିଛି ମିଡ୍ ଡେ କାଉଣ୍ଟି, ଉଇଣ୍ଡଚମ୍ ଭିଲା, ମିଲ୍ ପଣ୍ଡ୍ ଏବଂ ଦ’ ସାଙ୍କ୍‌ଚୁରି ନାଁରେ ଚାରିପ୍ରକାର କଟେଜ୍। ଏଠାରେ ଥିବା ବିଳାସପୂର୍ଣ୍ଣ କଟେଜଗୁଡିକ ଭିତରେ ସୁଇମିଂ ପୁଲ ବା ଅତ୍ୟାଧୁନିକ ଜାକୁଜି ରହିଛି। ସେହିପରି ରିସର୍ଟ ପରିସରରେ ମଧ୍ୟ ରହିଛି ଏକ ବିଶାଳ ସୁଇମିଂ ପୁଲ୍। ବିଜନେସ୍‌ ମିଟ୍, କନଫରେନସ, ସେମିନାର, ବିବାହ, ପିକନିକ ପାର୍ଟି ଓ ବିଭିନ୍ନ ଉତ୍ସବ ଆୟୋଜନ ଲାଗି ସବୁ ପ୍ରକାର ସୁବିଧା ରହିଛି ଏହି ରିସର୍ଟରେ।

ସ୍ଵସ୍ତି ଚିଲିକା ରିସର୍ଟକୁ ପର୍ଯ୍ୟଟକମାନ ଯେପରି ଭୁବନେଶ୍ଵର କିମ୍ବା ଅନ୍ୟ ସ୍ଥାନରୁ ସୁବିଧାରେ ଆସିପାରିବେ ସେଥିପାଇଁ ସ୍ଵସ୍ତି ଟ୍ରାଭେଲସ ପକ୍ଷରୁ ବ୍ୟବସ୍ଥା ରହିଛି। ସ୍ଵସ୍ତି ଚିଲିକା ରିସର୍ଟ ଏମିତି ଏକ ଜାଗାରେ ରହିଛି ଯେଉଁଠି ରହିଲେ ଆପଣ ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ମଧ୍ୟ ସୁବିଧାରେ ବୁଲିଯାଇ ପାରିବେ।

ଓଡ଼ିଶାରେ “ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି” ସେବା କ୍ଷେତ୍ରରେ ଏକ ପରିଚିତ ନାଁ ସ୍ଵସ୍ତି। ଓଡ଼ିଶାର ଶିଳ୍ପଦ୍ୟୋଗୀ ଜେ କେ ମହାନ୍ତିଙ୍କ ଦ୍ଵାରା ପରିଚାଳିତ ଏହି ଗ୍ରୁପ ଅଧୀନରେ ରହିଛି ଭୁବନେଶ୍ଵରସ୍ଥିତ ସ୍ଵସ୍ତି ଗ୍ରାଣ୍ଡ ଓ ସ୍ଵସ୍ତି ପ୍ରିମିୟମ। ସେହିପରି ଗୋପାଳପୁରରେ ଗଢ଼ି ଉଠିଛି ସ୍ଵସ୍ତି ପାମ୍ ବିଚ୍ ରିସର୍ଟ। ଏବେ ଚିଲିକା ରିସର୍ଟ କମ୍ପାନିର ମାନ୍ୟତାକୁ ଏକ ନୂଆ ଉଚ୍ଚତାକୁ ନେଇ ପାରିଛି।

ଆଜି ସାରା ପୃଥିବୀରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି ହୋଇଛି। ତା’ ଭିତରେ ବଡ଼ ଆକର୍ଷଣ ହେଉଛି ଚିଲିକା ହ୍ରଦର ଅପୂର୍ବ ପ୍ରାକୃତିକ ପରିବେଶ। ତେଣୁ ଏହି ପ୍ରକୃତି କୂଳରେ ଗଢି ଉଠିଥିବା ସ୍ଵସ୍ତି ଚିଲିକା ରିସର୍ଟ ଏବେ ଭାରତର ଏକ “ଶ୍ରେଷ୍ଠ ଲେକ୍ ରିସର୍ଟ” ଭାବେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି।

Comment