ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଲୋକ ନିଜର ମୋବାଇଲକୁ ଏଭଳି ଭାବେ ନିଜ ସାଙ୍ଗରେ ରଖନ୍ତି ଯେପରିକି ମୋବାଇଲ ସେମାନଙ୍କଠାରୁ ବିଚ୍ଛିନ୍ନ ହୋଇଗଲେ ସେମାନଙ୍କର ଜୀବନ ବଦଳିଯିବ। ଯଦି ଆପଣଙ୍କୁ ମଧ୍ୟ ଏଭଳି ଅଭ୍ୟାସ ଅଛି ତା’ ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହାଯୋଗୁଁ ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିପାରନ୍ତି। କେଉଁ ସ୍ଥାନରେ ମୋବାଇଲ ରଖିଲେ କି ରୋଗ ହୋଇଥାଏ ତାହା ଆସନ୍ତୁ ଜାଣିବା।

ପ୍ୟାଣ୍ଟ ପଛ ପକେଟରେ ରଖିଲେ: ବିଶେଷଜ୍ଞମାନଙ୍କ ଅନୁସାରେ ଆମ ଶରୀରର ଟିସ୍ୟୁ ବା କୋଷିକାଗୁଡ଼ିକ ମୋବାଇଲରୁ ବାହାରୁଥିବା ବିକିରଣକୁ ଶୋଷିଥାନ୍ତି। ଏହାଯୋଗୁଁ ଧୀରେ ଧୀରେ କୋଷିକାଗୁଡ଼ିକ କ୍ଷୟ ହେବାକୁ ଲାଗିଥାଏ। ଯେତେ ଅଧିକ ମୋବାଇଲ ବ୍ୟବହାର ହୁଏ କୋଷିକାଗୁଡ଼ିକ ପାଇଁ ସେତେ ଅଧିକ ବିପଦ ସୃଷ୍ଟି ହୋଇଥାଏ। ଏଭଳିସ୍ଥଳରେ ପ୍ୟାଣ୍ଟ ପଛ ପକେଟରେ ନିୟମିତ ଭାବେ ମୋବାଇଲ ରଖିଲେ ନିତମ୍ବଠାରୁ ଯନ୍ତ୍ରଣା ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ।

ପ୍ୟାଣ୍ଟ ଆଗ ପକେଟରେ ରଖିଲେ: ଏଠାରେ ମୋବାଇଲ୍ ରଖିବା ପଛ ପକେଟ୍‌ରେ ମୋବାଇଲ୍ ରଖିବାଠାରୁ ଅଧିକ ବିପଜ୍ଜନକ। ବିଶେଷ କରି ପୁରୁଷମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହୋଇଥାଏ। କାରଣ ଏହା ସେମାନଙ୍କର ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ।

ସେହିପରି ମୋବାଇଲରୁ ବାହାରୁଥିବା ବିକିରଣ ପେଟ ସମସ୍ୟାର କାରଣ ହୋଇଥାଏ। ଏହାଛଡ଼ା ପୁରୁଷମାନଙ୍କୁ ଟେଷ୍ଟିକୁଲର କର୍କଟ ହେବାର ଆଶଙ୍କା ବଢ଼େ। ଏହା ମଧ୍ୟ ସେମାନଙ୍କର ଡିଏନ୍ଏକୁ ପ୍ରଭାବିତ କରିଥାଏ।

ସାର୍ଟ ପକେଟ୍‌ରେ ରଖିଲେ: ଅଧିକାଂଶ ଲୋକ ସେମାନଙ୍କର ମୋବାଇଲକୁ ସାର୍ଟର ଉପର ପକେଟ୍‌ରେ ରଖିଥା’ନ୍ତି, ଯାହାକି ଦୃଦୟର ବିଲକୁଲ୍ ପାଖରେ ଥାଏ। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଯେତେବେଳେ ଏହି ଅବସ୍ଥାରେ ମୋବାଇଲ ରିଙ୍ଗ୍ ହୋଇଥାଏ ବ୍ୟକ୍ତିଜଣକର ହୃଦସ୍ପନ୍ଦନ ବଢ଼ିଯାଏ। ଏହାଛଡ଼ା ରକ୍ତରେ ଅଚାନକ କୋଲେଷ୍ଟ୍ରଲର ମାତ୍ରା ବି ବଢ଼େ । ଆଉ ଏକ କଥା ହେଲା ଆମର ହୃତ୍‌ପିଣ୍ଡରେ ଏକ ଇଲେକ୍ଟ୍ରିକାଲ ସିଷ୍ଟମ ରହିଛି ଯାହା ଠିକ୍ ଭାବେ କାମ କରିବା ସୁସ୍ଥ ହୃତପିଣ୍ଡ ପାଇଁ ନିହାତି ଆବଶ୍ୟକ । ହେଲେ ହୃତପିଣ୍ଡ ପାଖରେ ମୋବାଇଲ ରଖିଲେ ଏହି ଇଲେକ୍ଟ୍ରିକାଲ୍ ସିଷ୍ଟମ ପ୍ରଭାବିତ ହୋଇଥାଏ । ଫଳରେ ବ୍ୟକ୍ତିଜଣକୁ ହୃଦଘାତ ହେବ ବୋଲି ଆଶଙ୍କା ଥାଏ।

ବ୍ଲାଉଜରେ ଫୋନ୍‌ ରଖିଲେ: କାଲିଫର୍ଣ୍ଣିଆର ଏକ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣା ମୁତାବକ ବ୍ଲାଉଜ୍ ବା ଅନ୍ତବସ୍ତ୍ରରେ ମୋବାଇଲ ରଖିଲେ ଅନେକ ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ । ମହିଳାମାନଙ୍କୁ ଏହି କାରଣରୁ ସ୍ତନ କର୍କଟ ହେବାର ଆଶଙ୍କା ବହୁଗୁଣିତ ହୋଇଯାଏ। ଏହାର କାରଣ ହେଲା ଯେଉଁ ଭାଗରେ ମୋବାଇଲ ରହେ ସେହି ସ୍ଥାନର କୋଷିକା ପୂରାପୂରି କ୍ଷତିଗ୍ରସ୍ତ ହୋଇଯାଏ ।

ତକିଆ ତଳେ ରଖିଲେ: ତକିଆ ତଳେ ମୋବାଇଲ ରଖିଲେ ଏଥିରୁ ବାହାରୁଥିବା ନୀଳ ଆଲୋକ ନିଦ ପାଇଁ ଜରୁରୀ ହରମୋନ ମେଲାଟୋନିନର କାର୍ଯ୍ୟକାରିତାକୁ ପ୍ରଭାବିତ କରିଥାଏ। ଏହାଯୋଗୁଁ ଭଲ ଭାବେ ନିଦ ହୋଇନଥାଏ। କେବଳ ସେତିକି ନୁହେଁ ଅଧିକ ସମୟ ମୋବାଇଲ ଦେହରେ ଚାପି ହୋଇ ରହିଲେ ଏଥିରେ ନିଆଁ ଲାଗିବାର ବି ଆଶଙ୍କା ଥାଏ।

Comment