ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ରେ ଦଳକୁ ଫେରିପାରନ୍ତି ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍। ପ୍ରଥମ ଟି-୨୦ରେ ଭାରତ ପରାସ୍ତ ହେବାପରେ ମଧ୍ୟମକ୍ରମ ବ୍ୟାଟିଂ ସଜାଡ଼ିବାକୁ ସେ ଦଳକୁ ଫେରିପାରନ୍ତି।
ଗୁରୁବାର ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚଟି ରାଜକୋଟ୍ର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚର ପରାଜୟ ପରେ ବର୍ତ୍ତମାନ ଭାରତୀୟ ଦଳ ୦-୧ରେ ବାଂଲାଦେଶ ଠାରୁ ପଛରେ ଅଛି। ତେଣୁ ସିରିଜକୁ ଜିତିବାକୁ ହେଲେ ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ କର ବା ମର ଭଳି ହେବ।
ଗତ ମ୍ୟାଚରେ ରିଷଭ ପନ୍ତ ଅତ୍ୟନ୍ତ ଖରାପ ବ୍ୟାଟିଂ କରିଥିଲେ। ଏପରିକି ୱିକେଟ୍ କିପିଂରେ ମଧ୍ୟ ସେ ସଫଳ ହୋଇନଥିଲେ। ତେଣୁ ତାଙ୍କ ସ୍ଥାନରେ ଦଳ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇପାରେ। ଗତ ଘରୋଇ ସିଜିନରେ ସାମସନ ଚମତ୍କାର କ୍ରିକେଟ ଖେଳିଥିଲେ।
ସଞ୍ଜୁ ସାମସନଙ୍କ ପାଖରେ ୱିକେଟ୍ କିପିଂର ମଧ୍ୟ ଦକ୍ଷତା ଅଛି। ଆଇପିଏଲର କେତେକ ମ୍ୟାଚରେ ସେ ୱିକେଟ କିପିଂ କରିଛନ୍ତି। ତେଣୁ ରିଷଭଙ୍କୁ ବସାଇ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ନେଇ ଦଳ ବିଚାର କରୁଛି ବୋଲି ସୂଚନା ମିଳିଛି।