ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ରାଜ୍ୟପାଳଙ୍କୁ ଦାବି କରିବ ବିଜେପି। ଗୁରୁବାର ଏନେଇ ବିଧାୟକ ଦଳର ନେତା ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ସାକ୍ଷାତ କରିବେ।

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଛି। ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ। ଏଭଳି ସମୟରେ ଗୁରୁବାର ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବ। ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ ନେଇ ଲକ୍ଷ୍ୟ ରଖିଛି ବିଜେପି। ତେବେ ବିଜେପି-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀକୁ ନେଇ ବିବାଦ ଶେଷ ହେଉନଥିବା କାରଣରୁ ବିଜେପି ଏକାକୀ ସରକାର ଗଠନ ନେଇ ଦାବି କରିବ।ତେବେ ଶିବସେନା ବିଜେପିର ସରକାରରେ ରହିବ କି ନାହିଁ ସେ ନେଇ ଗୁରୁବାର ହିଁ ସ୍ପଷ୍ଟ ସୂଚନା ମିଳିପାରିବ। ଗୁରୁବାର ଶିବସେନା ବିଧାୟକ ଦଳର ବୈଠକ ବସୁଛି। ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦଳର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବେ।ବୁଧବାର ଶିବସେନା ସହ ମେଣ୍ଟ ସରକାର ଗଠନ କରିବାକୁ ସିଧାସଳଖ ମନା କରିଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଶରଦ କହିଛନ୍ତି ଯେ,ରାଜ୍ୟର ଭୋଟରମାନେ ତାଙ୍କୁ ବିରୋଧୀ ଦଳ ପାଇଁ ଭୋଟ୍ ଦେଇଛନ୍ତି। ତେଣୁ ସେ ବିରୋଧୀ ଦଳ ଆସନରେ ହିଁ ବସିବେ। ଶରଦଙ୍କ ଏଭଳି ବୟାନ ପରେ ରାଜ୍ୟରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ହେବ ବୋଲି ଯାହା ଚର୍ଚ୍ଚା ହେଉଥିଲା ତାହାର ଅନ୍ତ ଘଟିଛି।

Comment