ଓଡ଼ିଶାଲାଇଭ୍ ବ୍ୟୁରୋ  

ନବରଙ୍ଗପୁର ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ବିଭାଗ ସଚିବ ହେମନ୍ତ ଶର୍ମା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି। ଏହାସହ ଜିଲ୍ଲାରେ ସରକାରୀ କାର୍ଯ୍ୟକଳାପ କିପରି ଚାଲିଛି ତାକୁ ଯାଞ୍ଚ ମଧ୍ୟ କରିଛନ୍ତି।

ସଚିବ ପ୍ରଥମେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଗସ୍ତ କରିଥିଲେ। ସେଠାରେ ସେ ଶିଶୁ ଓ ମାତୃ ଚିକିତ୍ସା କେନ୍ଦ୍ରକୁ ବୁଲି ଦେଖିଥିଲେ। ରୋଗୀଙ୍କୁ କିଭଳି ଖାଇବା ଦିଆଯାଉଛି ଓ ଡାକ୍ତରଖାନାଙ୍କୁ କେମିତି ସଫାସୁତୁରା ରଖାଯାଉଛି ସେନେଇ ସଚିବ ଯାଞ୍ଚ କରିଥିଲେ। ଏହାପରେ ସେ ଡାକ୍ତରଖାନା ନିକଟରେ ଥିବା ଏକ ଆହାର କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ତାଙ୍କ ସହ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ମଧ୍ୟ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଥିଲେ।

ଡାକ୍ତରଖାନାକୁ ଦେଖିାସାରିବା ପରେ ହେମନ୍ତ ଶର୍ମା ନବରଙ୍ଗପୁର ମିଶନଶକ୍ତିଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାରେ ତିଆରି ହୋଇଥିବା ନୂଆ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନହେଇଥିବା ଜାଣି ସେ ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ପରିଦର୍ଶନ ବେଳକୁ ଯେଭଳି ଏହି ସମସ୍ୟା ନଥିବ ବୋଲି ସେ ସାଉଥ କୋ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ସଚିବ ହେମନ୍ତ ଶର୍ମା ଜିଲ୍ଲା ଯୋଗାଣ ବିଭାଗର ପିଡିଏସ ବ୍ୟବସ୍ଥାକୁ ତଦାରଖ କରିଥିଲେ। ସମସ୍ତ ରାସନ କାର୍ଡକୁ ଆଧାର କାର୍ଡଙ୍କୁ ଲିଙ୍କ୍ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଚାଷ ପାଇଁ ଗଭୀର ନଳକୂପ ଖନନ, ଗ୍ରାମାଞ୍ଚଳରେ ପିଇବା ପାଣିର ସୁବିଧା କରିବା ନେଇ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଗସ୍ତରେ ସେ ଦୀନଦୟାଲ ଉପାଧ୍ୟ।ୟ ଗ୍ରାମୀଣ କୌଶଳ ଯୋଜନାର ତାଲିମ ଶିବିରକୁ ଉଦଘାଟନ୍ କରିଥିଲେ। ଏହି ଶିବିରରେ ୩୫ଜଣ ଯୁବତୀ ସମେତ ୧୦୫ଜଣ ଯୁବକଙ୍କୁ ତାଲିମ ଦିଆଯିବ। ଯୁବତୀମାନଙ୍କୁ ୩ମାସ ସିଲେଇ ଓ ଯୁବକମାନଙ୍କୁ ୭ମାସ ଇଲେକ୍ଟ୍ରିକାଲ ତାଲିମ ପ୍ରଦାନ କରାଯିବ। ୨ଦିନିଆ ଗସ୍ତପରେ ଜିଲ୍ଲାର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସନ୍ତୋଷଜନକ ରହିଥିବା  ନେଇ ସଚିବ ହେମନ୍ତ ଶର୍ମା କହିଛନ୍ତି।

Comment