ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ। ତାଙ୍କ ନାଁ ପାର୍ବତୀ ବୋଲି ଏସପି ସୂଚନା ଦେଇଛନ୍ତି। ସେ ତାଙ୍କ ୨ ମାସର ଶିଶୁ ସହ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ଛତିଶଗଡ ବିଜାପୁର ଜିଲ୍ଲାର ୱାଚମ୍ ବୋଲି ଜଣାପଡିଛି।

ଦୀର୍ଘ ୮ ବର୍ଷ ଧରି ସେ ଇନ୍ଦ୍ରାବତୀ ଦଳମ୍ ଓ ବାସଧାର-ଘୁମୁସର ଓ ନାଗାବଳୀ ଡିଭିଜନରେ କାମ କରୁଥିଲେ। ତେବେ ମାଓବାଦୀମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ସଂଗଠନ ଛାଡିଥିବା କହିଛନ୍ତି। ଗର୍ଭବତୀ ହେବା ପରେ ତାଙ୍କୁ ଜଙ୍ଗଲରେ ଅଣଦେଖା କରାଯିବା ସହ ନିର୍ଯ୍ୟାତନା ଦିଆଯାଉଥିବା ସେ ପୁଲିସ ନିକଟରେ କହିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀ ପ୍ରତିଭା ୨୦୧୩ ମସିହାରେ ଘଟିଥିବା କାଡ୍ରାକାବଣ୍ଡଲି ଗୁଳି ବିନିମୟ, ଡଙ୍ଗାମାଟି ଗୁଳି ବିନିମୟ, ଜାରପା ନିକଟରେ ଏସଓଜି ବାହୀନିଙ୍କ ଉପରେ ଆକ୍ରମଣ, କଳାହାଣ୍ଡି ଜିଲ୍ଲା ପହାପଦର ଗ୍ରାମର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା, ବାବୁପଦର ଗ୍ରାମର ଭୀମ ଦୋରାଙ୍କ ହତ୍ୟା ଘଟଣାରେ ଜଡିତ ଅଛନ୍ତି ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି।

ତେବେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଏସପି ଡକ୍ଟର ଶର୍ବଣା ବିବେକ.ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comment