ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ
  • ୧୦୦ ଗାଇଡ୍ ନିଯୁକ୍ତ କଲା ପ୍ରଶାସନ
  • ୩୦ ହୁଇଲ୍ ଚେୟାରର ବ୍ୟବସ୍ଥା

କଟକ: ବାଲିଯାତ୍ରା ବୁଲିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଶାରିରୀକ ଅକ୍ଷମତା ଯୋଗୁଁ ଭିନ୍ନକ୍ଷମ ଏବଂ ବୟସ ଅଧିକ ଯୋଗୁଁ ବୃଦ୍ଧବୃଦ୍ଧା ମେଳାଠାରୁ ନିଜକୁ ଦୂରେଇ ରଖନ୍ତି। କିନ୍ତୁ ଏଥର ବରିଷ୍ଠ ଓ ଭିନ୍ନକ୍ଷମମାନେ ଆରାମରେ ବାଲିଯାତ୍ରା ବୁଲିପାରିବେ। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି।

ପ୍ରଥମଥର ବାଲିଯାତ୍ରାରେ ୧୦୦ଜଣ ଗାଇଡ୍‌ଙ୍କୁ ନିଯୁକ୍ତ କରିଛି ଜିଲ୍ଲା ପ୍ରଶାସନ। ଏମାନଙ୍କ ପାଇଁ ପରିଚୟପତ୍ରର ବ୍ୟବସ୍ଥା କରାଯାଇଛି। ସେମାନେ ଅପରାହ୍‌ଣ ୨ଟାରୁ ୧୧ ଟା ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆ ପ୍ରବେଶପଥ ନିକଟରେ ଉପସ୍ଥିତ ରହି ବରିଷ୍ଠ ଓ ଭିନ୍ନକ୍ଷମଙ୍କୁ ସହଯୋଗ କରିବେ। ସେମାନଙ୍କୁ ୩୦ଟି ହୁଇଲ୍ ଚେୟାର ଦିଆଯିବ। ଏଥିରେ ଗାଇଡ୍‌ମାନେ ବରିଷ୍ଠ ଏବଂ ଭିନ୍ନକ୍ଷମଙ୍କୁ ବାଲିଯାତ୍ରା ବୁଲାଇବେ।

ବାଲିଯାତ୍ରା ପଡ଼ିଆର ବିଭିନ୍ନ ଷ୍ଟଲ୍ ବୁଲାଇବା ସହ ସେମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖାଇବେ। ନଭେମ୍ବର ୧୨ତାରିଖଠାରୁ ଏହି ଦାୟିତ୍ୱ ନେଇ ପଡିଆକୁ ଆସିବେ ୧୦୦ ଗାଇଡ୍।

ଏନେଇ ଏକ ଘରୋଇ ଏଜେନ୍ସି ସହ କଥାବାର୍ତ୍ତା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଗାଇଡମାନଙ୍କୁ ବରିଷ୍ଠ, ଭିନ୍ନକ୍ଷମମାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ସେମାନେ କେମିତି ସୁରକ୍ଷିତ ଭାବେ ବାଲିଯାତ୍ରା ବୁଲି ଯିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି।

Comment